କାଳୀପୂଜା ପାଇଁ ବରଗଡ ପଦ୍ମପୁର ଅଞ୍ଚଳ ଚଳଚଞ୍ଚଳ ; ପଶୁ ବଳି ବଦଳରେ ଖଇରେ ପ୍ରସ୍ତୁତ ଜୁଗାରକୁ ମାଆଙ୍କୁ ଅର୍ପଣ କରୁଛନ୍ତି ଭକ୍ତ

Published By : Prameya-News7 Bureau | November 09, 2018 IST

ବରଗଡ ୯|୧୧:  ବରଗଡ ଜିଲ୍ଲା ପଦ୍ମପୁର ସର୍ଗିବାହାଲରେ ଧୁମଧାମରେ ଚାଲିଛି କାଳୀପୂଜା । ଦୀର୍ଘ ବର୍ଷ ହେବ ମାନସିକ ବ୍ରତଧାରୀ ମାନେ ମାଆ କାଳୀଙ୍କୁ ପଶୁ ବଳି ବଦଳରେ ଲିଆ ବା ଖଇରେ ପ୍ରସ୍ତୁତ ଜୁଗାର ଅର୍ପଣ କରିଛନ୍ତି । ବିଭିନ୍ନ ସଂଗଠନ ଓ ସ୍ଥାନୀୟଲୋକ ବଳିପ୍ରଥାକୁ ବିରୋଧ କରି ସୃଷ୍ଟି କରିଛନ୍ତି ନିଆରା ପରମ୍ପରା । ମାଆ କାଳୀଙ୍କ ପୂଜା ପାଇଁ ପଦ୍ମପୁର ସର୍ଗିବାହାଲ ଅଞ୍ଚଳ ଚଳଚଞ୍ଚଳ । ଦୀର୍ଘ ବର୍ଷ ହେବ ପୁରୁଣା ବଳିପ୍ରଥାକୁ ଛାଡି ଲିଆ ବା ଖଇରେ ପ୍ରସ୍ତୁତ ଜୁଗାରକୁ ଅର୍ପଣ କରୁଛନ୍ତି ଭକ୍ତ । ପ୍ରଥମ ଶସ୍ୟ ଧାନରେ ପ୍ରସ୍ତୁତ ଖଇ ଓ ଗୁଡରେ ନିର୍ମିତ ହୋଇଥାଏ ଜୁଗାର। ଖଇ ଓ ଗୁଡକୁ ପାଗ କରି ମୁଆଁ ତିଆରି କରିବା ପରେ ଭକ୍ତ ମାନେ ମାନସିକ ଜୁଗାର ଗୁଡିକୁ ଆକର୍ଷଣୀୟ କରିବା ସହ, ନଗର ପରିକ୍ରମା କରିଥାନ୍ତି । ବିଭିନ୍ନ ପ୍ରକାରର ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରା ବାହାରି ମାଆ କାଳୀଙ୍କୁ ଅର୍ପଣ କରିଥାନ୍ତି ମାନସିକଧାରୀ । ସର୍ଗିବାହାଲର ବଣିକ ସଂଘ ବଳିପ୍ରଥାକୁ ବନ୍ଦ କରିବାର ଉଦ୍ଦେଶ୍ୟରେ ଆରମ୍ଭ କରିଥିଲେ ଏହି ଜୁଗାର ଯାତ୍ରା । ଏହି ଜୁଗାର ଯାତ୍ରାର ରହିଛି ସ୍ବତନ୍ତ୍ର ପରିଚୟ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ସମ୍ପ୍ରଦାୟର ଲୋକ ଯାତ୍ରାରେ ସାମିଲ ହୋଇ ମାଆଙ୍କ ଆଶିଷ ନେଇ ପରିବାରର ମଙ୍ଗଳ କାମନା କରିଥାନ୍ତି । ଯେଉଁ ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ ସେ ତା ପରବର୍ଷ ଏକ ଜୁଗାର ମାଆଙ୍କୁ ଅର୍ପଣ କରିଥାଏ । ବଳି ପ୍ରଥା ବନ୍ଦ କରି ନିଆରା ଢଙ୍ଗରେ ପାଳନ ହେଉଥିବା ଜୁଗାର ଯାତ୍ରାକୁ ମିଳିଛି ନୂଆ ପରିଚୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.