କଳାହାଣ୍ଡି ଲୋକସଭା ଏବଂ ଏହା ଅନ୍ତର୍ଗତ ୭ଟି ବିଧାନସଭାର ସ୍ଥିତି କ'ଣ ରହିଛି ପକାନ୍ତୁ ନଜର...

Published By : Prameya-News7 Bureau | April 09, 2019 IST

କଳାହାଣ୍ଡି ୯/୪ : କଳାହାଣ୍ଡି ଲୋକସଭା ଆସନ ଆଦିବାସୀ ଭୋଟର ବହୁଳ ଅଂଚଳ ହୋଇଥିଲେ ମଧ୍ୟ ଏଠାରେ ଅନ୍ୟନ୍ୟ ପଛୁଆ ବର୍ଗ ତଥା ଯାଦବ ଭୋଟରଙ୍କ ଗୁରୁତ୍ୱପୂର୍ଣ ଭୂମିକା ରହିଛି | କଳାହାଣ୍ଡିକୁ ସବୁ ରାଜନୈତିକ ଦଳ ଫୋକସରେ ରଖିଛନ୍ତି | କଳାହାଣ୍ଡିକୁ ନିର୍ବାଚନ ପ୍ରଚାର ଲାଗି କଂଗ୍ରେସର ରାହୁଲ ଗାନ୍ଧୀ, ବିଜେପିର ମୁଖ୍ୟ ଆକର୍ଷଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କରିବା ପାଇଁ ଆସିଥିଲେ | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କଳାହାଣ୍ଡିରେ ପ୍ରଚାର କରିଛନ୍ତି | ବିଶେଷକରି ଗତ ଦୁଇ ଦିନ ହେଲା ସେ କଳାହାଣ୍ଡିରେ ରାତ୍ରିଯାପନ କରି ମଧ୍ୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି | ଏଠାରେ ବିଜେଡିରୁ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିରୁ ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ଡା ଏବଂ କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇଛନ୍ତି | ମୈଦାନରେ ୩ ଜଣ ହେଭିବେତ ଥିବାରୁ ଲଢେଇ ତ୍ରିମୁଖୀ ହେବା ସ୍ୱାଭାବିକ କଥା |


ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପାଇଁ ପ୍ଲସ ପଏଣ୍ଟ ହେଉଛି, ସେ ପ୍ରଥମଥର ଏହି ଆସନରୁ ଲୋକସଭା ପାଇଁ ଲଢ଼ୁଛନ୍ତି | ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ହିସାବରେ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ପରିଚିତି ରହିଛି | ଏଥିସହ ନବୀନ କ୍ରେଯ ମଧ୍ୟ ତାଙ୍କ ପାଇଁ ଲାଭଦାୟକ ହେବ | ହେଲେ ତାଙ୍କ ପାଇଁ ମାଇନସ ପଏଣ୍ଟ ହେଉଛି, କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଜୋନ ନିର୍ବାଚନ ପୁଷ୍ପେନ୍ଦ୍ରଙ୍କ ନେତୃତ୍ୱ ରେ ଲଢ଼େ ଯାଇଥିଲା | ହେଲେ ବିଜେଡି ୩୫ଟି ଜୋନରେ ହରି ଯାଇଥିଲା | ଫଳରେ ପୁଷ୍ପେନ୍ଦ୍ରଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଥିଲା | ଏହା ଭୋଟରଙ୍କ ଭିତରେ ଭୁଲ ବାର୍ତ୍ତା ନିଶ୍ଚୟ ଦେଇଛି |


ସେହିଭଳି ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କ ପାଇଁ ପ୍ଲସ ପଏଣ୍ଟ ହେଉଛି, ସେ ମଧ୍ୟ ପ୍ରଥମଥର ପାଇଁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି | ଦ୍ୱିତୀୟ ଏବଂ ସବୁଠୁ ବଡ ପ୍ଲସ ପଏଣ୍ଟ ହେଉଛି, ମୋଦି ଲହର | ତାଙ୍କ ପାଇଁ ମାଇନସ ପଏଣ୍ଟ ହେଉଛି, ନୂଆପଡା ଜିଲ୍ଲାରେ ତାଙ୍କ ନେତୃତ୍ୱରେ ବିଜେପି ପଂଚାୟତ ନିର୍ବାଚନ ଲଢ଼ିଥିଲେ | କିନ୍ତୁ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିଲା |


କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ସବୁଠୁ ଅଧିକ ଅଭିଜ୍ଞ ପ୍ରାର୍ଥୀ | ତାଙ୍କର ମଧ୍ୟ ନିଜସ୍ୱ ଭୋଟବେଶ ରହିଛି | ତେବେ ପୁତ୍ର ମୋହ ତାଙ୍କ ପାଇଁ ମାଇନସ ପଏଣ୍ଟ ବୋଲି ବିଚାର କରାଯାଉଛି | କଳାହାଣ୍ଡିରେ ପିତା ପୁତ୍ର ରାଜନୀତିକୁ ନେଇ ଆଲୋଚନା ବେଶ ସରଗରମ ହେଉଛି | ଭକ୍ତ ଦାସଙ୍କ ପୁଅ ସାଗର ଦାସ ଏଥର କଳାହାଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି | ଯାହା ଉଭୟ ଭକ୍ତ ଦାସ ଓ ସାଗର ଦାସଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି କୁହାଯାଉଛି |


ମୋଟାମୋଟି କହିବାକୁ ଗଲେ ଏତେ ସବୁ ପ୍ଲସ ମାଇନସ ଭିତରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ଅବଶ୍ୟମ୍ଭାବୀ ହୋଇଛି | ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଯେଉଁ ପ୍ରାର୍ଥୀ ୪ଟି ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିବେ ତାଙ୍କର ଜିତାପଟ ହେବା ନିଶ୍ଚିତ | ଆସନ୍ତୁ ନଜର ପକାଇବା ୭ଟି ବିଧାନସଭା ଆସନ ମଧ୍ୟରୁ କେଉଁ ଦଳ ସ୍ଥିତି କଣ ରହିଛି :


ଜୁନାଗଡ : ଜୁନାଗଡରେ ବିଜେଡି ପ୍ରାର୍ଥୀ ଭାବେ ପୁଣି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ରିପିଟ କରିଛି | ବିଜେପି ଏଠାରେ ମନୋଜ ମେହେରଙ୍କୁ ପ୍ରାର୍ଥୀ କରିଥିବାବେଳେ ଗତଥରର ବିଜେପି ପ୍ରାର୍ଥୀ ଅନିଲ ସିଂହଦେଓଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି | ଦିବ୍ୟ ଶଙ୍କର ମିଶ୍ର ବିକାଶମୂଳକ କାମ କରିଥିଲେ ମଧ୍ୟ ତାଙ୍କ ସ୍ୱଭାବ ପାଇଁ କ୍ଷତିର ସମ୍ମୁଖୀନ ହେବେ | ଏଥିସହ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ପାଇଁ ତାଙ୍କ ନାଁ ଘୋଷଣା ହେବାଯୋଗୁଁ ମଧ୍ୟ ଦଳ ତାଙ୍କ ଉପରେ ବିଶେଷ ଭରସା କରୁନାହିଁ ବୋଲି ଭୋଟରଙ୍କ ମଧ୍ୟରେ ଆଲୋଚନା ହେଉଛି | ଏହା ସତ୍ୱେ ପ୍ରଚାର ଓ ନବୀନଙ୍କ କ୍ରେଯ ଯୋଗୁଁ ତାଙ୍କ ସ୍ଥିତି ମଜବୁତ ରହିଛି ବୋଲି କୁହାଯାଇପାରେ | କିନ୍ତୁ ବିଜେପି ପ୍ରାର୍ଥୀ ମଣିଜ ମେହେରଙ୍କ କଡା ଟକ୍କର ଏବଂ ଲୋକପ୍ରିୟତା ନିର୍ବାଚନ ଫଳାଫଳକୁ କେଉଁଆଡେ ମୋଡି଼ବ ତାହା କହିବା ମୁସ୍କିଲ | ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳୁଥିବା ଭୋଟ ହାର ଉପରେ ବିଜେପି ବିଜେଡି ପ୍ରାର୍ଥୀଙ୍କ ହାରଜିତ ନିର୍ଭର କରୁଛି |


ଧର୍ମଗଡ : ଧର୍ମଗଡରେ ବିଜେଡି ଅବସର ପ୍ରାପ୍ତ ସ୍କୁଲ ଶିକ୍ଷକ ମୋୖସୁଦୀ ବାଗଙ୍କୁ ପ୍ରାର୍ଥୀ କରିଛି | ବିଜେପି ପ୍ରାର୍ଥୀ କରିଛି ରାଜ ପରିବାର ସଦସ୍ୟ ଅନନ୍ତ ପ୍ରତାପ ଦେବଙ୍କୁ | କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦିଗାମ୍ବର ଦୁରିଆ | କଂଗ୍ରେସ ପ୍ରାର୍ଥୀ ଦିଗାମ୍ବର ଦୁରିଆ ମୁଖ୍ୟତଃ ଭବାନୀପାଟଣାର ବାସିନ୍ଦା, ଉଚ୍ଚ ଶିକ୍ଷା ସମ୍ପର୍ଣ ଏବଂ ଲୋକସମର୍ଥନ ମଧ୍ୟ ରହିଛି | ବିଜେପି ପ୍ରାର୍ଥୀଙ୍କ ପାଇଁ ଅସୁବିଧା ହେଉଛନ୍ତି ବିଦ୍ରୋହୀ | ଟିକେଟ ନମିଳିବା ଯୋଗୁଁ ଗତଥରର ପ୍ରାର୍ଥୀ ରବୀନ୍ଦ୍ର ପାଟଜୋଷୀ ଏଠାରେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି | ଫଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି | ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ମୌସୁଦୀ ବାଗଙ୍କ ପାଇଁ ମଧ୍ୟ ଦଲଯ ଅନ୍ତର୍ଦ୍ୱନ୍ଦ ସମସ୍ୟା ରହିଛି | ତେବେ ଜାତି ଭୋଟ ଆଧାରରେ ସେ ନିର୍ବାଚନ ଜିତିବା ପାଇଁ ଉଦ୍ୟମ କରୁଛନ୍ତି | ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୬୦ ପ୍ରତିଶତ ଓବିସି ଭୀତ ରହିଛି | ଏହା ଆଧାରରେ ସେ ବିଜୟ ଆଶା ରଖୁଛନ୍ତି |


ଭବାନୀପାଟଣା : ଭବାନୀପାଟଣାରେ ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାୟକ, ବିଜେପି ପ୍ରାର୍ଥୀ ପ୍ରଦୀପ ନାୟକ ଓ କଂଗ୍ରେସ ପ୍ରାର୍ଥୀ ସାଗର ଚରଣ ଦାସଙ୍କ ମଧ୍ୟରଟେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି | ବାପା ଭକ୍ତ ଚରଣ ଦାସଙ୍କ ଉପରେ କଂଗ୍ରେସ ପ୍ରାର୍ଥୀ ସାଗର ଦାସ ନିର୍ଭର କରୁଥିବା ବେଳେ ବିଜେପିର ଲୋକସଭା ପ୍ରାର୍ଥୀ ବସନ୍ତ ପଣ୍ଡା ଏବଂ ପ୍ରଦୀପ ନାୟକଙ୍କ ମଧ୍ୟରେ ତିକ୍ତତା ଯୋଗୁଁ ବିଜେପି ଏଠାରେ ଅଡୁଆ ପରିସ୍ଥିତିରେ ପଡିପାରେ ବୋଲି ଆଲୋଚନା ହେଉଛି | ଫଳରେ ସ୍ୱାଭାବିକ ଭାବରେ ଦୁଷ୍ମନ୍ତ ନାୟକଙ୍କ ସ୍ଥିତି ମଜବୁତ ବୋଲି କୁହାଯାଇପାରେ | ତେବେ ମୋଦି ଲହର ଶେଷ ମୁହୂର୍ତ୍ତରେ ସବୁ ଗଣିତ ଓଲଟପାଲଟ କରିଦେଇପାରେ |


ନର୍ଲା : ନର୍ଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କରିଛି ଭୂପିନ୍ଦର ସିଂଙ୍କୁ | ବିଜେପି ଏଠାରେ ଅନିରୁଦ୍ଧ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବାବେଳେ ଚିତ୍ତ ରଞ୍ଜନ ମଣ୍ଡଳ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ | ବିଜେଡି ପ୍ରାର୍ଥୀ ଭୂପିନ୍ଦର ଜଣେ ଅଭିଜ୍ଞ ରାଜନେତା | କିନ୍ତୁ ତାଙ୍କ ଦଳ ବଦଳ ନୀତିକୁ ଲୋକ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି | ଜାଣସମ୍ପର୍କ କ୍ଷେତ୍ରରେ ମଧ୍ୟ ସେ ସାମାନ୍ୟ ପଛରେ ରହିଛନ୍ତି | କେଉଁଠି କେଉଁଠି ଲୋକ ତାଙ୍କୁ ନିର୍ବାଚନ ପ୍ରଚାର କରିବାକୁ ଦେଇନାହାନ୍ତି | କେବଳ ନବୀନ ହାୱା ଓ ଶଙ୍ଖ ଚିହ୍ନକୁ ଆଶ୍ରା କରି ସେ ନିର୍ବାଚନ ବୈତରଣୀ ପାର ହେବେ | ଅପରପକ୍ଷରେ ଅନିରୁଦ୍ଧ ପ୍ରଧାନ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି | ସେ ସରପଂଚ ଅଛନ୍ତି | କିନ୍ତୁ ପରିଚିତି, ପ୍ରଚାର, ପ୍ରସାର କ୍ଷେତ୍ରରେ ରହିଥିଲେ ମଧ୍ୟ ମୋଦିଙ୍କୁ ଭରସା କରି ନିର୍ବାଚନ ସମ୍ମୁଖୀନ ହେଉଛନ୍ତି | କଂଗ୍ରେସ ପ୍ରାର୍ଥୀ ଚିତ୍ତ ରଞ୍ଜନ ମଣ୍ଡଳ ସର୍ବ ଗ୍ରହଣୀୟ ପ୍ରାର୍ଥୀ କିନ୍ତୁ ସେ ଭବାନୀପାଟଣାରୁ ଯାଇ ସେଠାରୁ ପ୍ରାର୍ଥୀ ହେବା ଅନେକେ ଗ୍ରହଣ କରିପାରୁନାହାନ୍ତି |


ଲାଞ୍ଜିଗଡ : ଲାଞ୍ଜିଗଡରେ କଂଗ୍ରେସର ସ୍ଥିତି ସାମାନ୍ୟ ଉନ୍ନତ ରହିଛି ବୋଲି କୁହାଯାଇପାରେ | କଂଗ୍ରେସ ଏଠାରେ ଶିବାଜୀ ମାଝୀଙ୍କୁ ପ୍ରାର୍ଥୀ କରିଛି | ବେଦାନ୍ତ ବିରୋଧୀ ଆନ୍ଦୋଳନ ଏବଂ ଆଦିବାସୀଙ୍କ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରି ଶିବାଜୀ ମାଝୀ ଲୋକପ୍ରିୟତା ହାସଲ କରିଛନ୍ତି | କିନ୍ତୁ ୨୦୦୯ ମସିହାରେ ରାଜ୍ୟସଭା ନିର୍ବାଚନ ବେଳେ ହୋଇଥିବା ଘୋଡା ବେପାର ଅଭିଯୋଗ ପରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ |

ଏହାପରେ ଅବଶ୍ୟ ସେ ପୁଣି କଂଗ୍ରେସକୁ ଫେରି କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି | କିନ୍ତୁ ଭୋଟର ଏ ବାବଦରେ ତାଙ୍କୁ କୈଫିୟତ ମାଗିବା ଭୁଲି ନାହାନ୍ତି | ଅଡିବସଦଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନିଶାନଗୁଡାରେ ମାଓବାଦୀ ନାଁରେ ୪ଜଣଙ୍କୁ ହତ୍ୟା ଘଟଣାରେ ଶିବାଜୀ ମାଝୀ ଆଦିବାସୀଙ୍କ ପାଇଁ କରିଥିବା ଆନ୍ଦୋଳନ ଏବେ ନିଶ୍ଚୟ ଲାଭ ଦେବ | ଅପରପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ କୁମାର ଦିଶାରୀ ଏବଂ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରମେଶ ମାଝୀ | ବିଜେଡି ପ୍ରାର୍ଥୀଙ୍କ ପାଇଁ ବିଦ୍ରୋହୀ ସମସ୍ୟା ରହିଛି | କାରଣ ୫ଥରର ବିଧାୟକ ବଳଭଦ୍ର ମାଝୀଙ୍କ ଟିକେଟ କାଟି ବିଜେଡି ଏଠାରେ ପ୍ରଦୀପଙ୍କୁ ପ୍ରାର୍ଥୀ କରିଛି |


ସୂଚନାଯୋଗ୍ୟ ଯେ, ୨୦୧୪ରେ ପ୍ରଦୀପ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ | ବଳଭଦ୍ର ମାଝୀ ଟିକେଟ ନପାଇବା ଯୋଗୁଁ ଅସନ୍ତୁଷ୍ଟ ରହିଛନ୍ତି | ସେ ଦଳ ଛାଡିବା ବା ପ୍ରକାଶ୍ୟ ବିଦ୍ରୋହ କରିବା ଭଳି ପଦକ୍ଷେପ ନେଇନାହାନ୍ତି ସତ କିନ୍ତୁ ତାଙ୍କ ନୀରବତା ଦଳ ପାଇଁ ମହଙ୍ଗା ପଡିବ ବୋଲି ଆଲୋଚନା ହେଉଛି | ଅପରପକ୍ଷରେ ସରପଂଚରୁ ବିଧାୟକ ହୋଇଥିବା ରମେଶ ମାଝୀ ମୋଦି ହାୱାକୁ ଆଧାର କରି ନିର୍ବାଚନ ରଣାଙ୍ଗନରେ ଜିତାପଟ ନେବାକୁ ଆଶା ବାନ୍ଧିଛନ୍ତି |


ଖରିଆର : ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ଲମ୍ବୋଦର ନିଆଲ, ବିଜେପିରୁ ରିତାରାଣୀ ବଗର୍ତ୍ତୀ ଏବଂ କଂଗ୍ରେସରୁ ଅଧିରାଜ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି | ବିଜେଡି ଓ ବିଜେପି ଭିତରେ ଏଠାରେ କଡା ଟକ୍କର ହେଉଥିବା ଜଣାପଡିଛି |


ନୂଆପଡା : ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି | ଏଠାରେ ଚତୁର୍ମୁଖୀ ଲଢେଇ ହେଉଛି | ବିଜେଡିରୁ ରାଜେନ୍ଦ୍ର ଢୋଲକିଆ, ବିଜେପି ହମସିଙ୍ଗ ମାଝୀ, କଂଗ୍ରେସର ଘାସିରାମ ମାଝୀ ଏବଂ ସ୍ୱାଧୀନ ପ୍ରାର୍ଥୀ ଯଦୁମଣି ପାଣିଗ୍ରାହୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେଉଛି | ତେବେ ବିଜେପି ଏଠାରେ ଧୀରେ ଧୀରେ ଅବନତି କରୁଥିବା ଦେଖିବାକୁ ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.