କଲବଲ କରୁଛି କରୋନା ; ୯୦୦ ଟପିଲା ମୃତ୍ୟୁସଂଖ୍ୟା, ୪୦ ହଜାରରୁ ଅଧିକ ଆକ୍ରାନ୍ତ
10/02/2020 at 9:36 AM

ବେଜିଂ ୧୦।୦୨: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଭୂତାଣୁ । କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ମୃତ୍ୟୁ ସଂଖ୍ୟା ୯୦୪ କୁ ବୃଦ୍ଧି ହୋଇଥିବା ବେଳେ ୪୦ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ କମିଶନ ସ୍ପଷ୍ଟ କରିଛନ୍ତି । ରବିବାର ଦିନ ମୃତ୍ୟୁ ସଂଖ୍ୟା ୮୦୫ ଥିବା ବେଳେ ସୋମବାର ଏହା ୯୦୪ ଛୁଇଁଛି । ଗୋଟିଏ ଦିନରେ ପ୍ରାୟ ୧୦୦ ଜୀବନ ଗଲାଣି । ଆକ୍ରାନ୍ତଙ୍କ ମଧ୍ୟରେ ଉହାନର ସର୍ବାଧିକ ଲୋକ ଅଛନ୍ତି ।

କରୋନାରେ ପ୍ରାୟ ୨୭ ହଜାର ଲୋକଙ୍କର ଚିକିତ୍ସା ଏବେ ଡାକ୍ତରଖାନାରେ ଚାଲିଥିବା ବେଳେ ୭୦ ହଜାରରୁ ଅଧିକ ଲୋକଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି । ଚୀନରେ ଏବେ ଲୋକଙ୍କୁ ଘରୁ ବାହାରିବାକୁ ପୂରା ମନା କରାଯାଇଛି । ଭାଇରସ୍ ବ୍ୟାପିବାକୁ ନେଇ ଆଉ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ସାଂଘାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କରୋନା ଭାଇରସ ଏବେ ପବନରେ ବି ତା’ର ଉପସ୍ଥିତି ଜାହିର କରିଛି ଏବଂ ସୂକ୍ଷ୍ମ କଣରେ ଏହା ମିଶି ଲୋକଙ୍କ ଶରୀରରେ ପ୍ରବେଶ କରୁଛି।

ଏ ପର୍ଯ୍ୟନ୍ତ ଏହି ଭାଇରସର ପ୍ରତ୍ୟକ୍ଷ ସଂକ୍ରମଣ ଏବଂ ସଂପର୍କ ସଂକ୍ରମଣ ହେଉଥିବା ବେଳେ ଏବେ ଏହା ପବନ ଦ୍ବାରା ବି ବ୍ୟାପିବାକୁ ଆରମ୍ଭ କରିଥିବା ସେ କହିଛନ୍ତି । ସାଂଘାଇ ନାଗରିକ ବ୍ୟାପାର ଉପମୁଖ୍ୟ କହିଛନ୍ତି ଯେ ପବନ ଦ୍ବାରା ସଂକ୍ରମଣ ବ୍ୟାପିବା ଆରମ୍ଭ ହୋଇଥିବାରୁ ଏହା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି। ମେଡିକାଲ ବିଶେଷଜ୍ଞଙ୍କ କହିବା ମୁତାବକ ଏହାଦ୍ବାରା ଶ୍ବାସ ପ୍ରଶ୍ବାସ ଯୋଗୁଁ ମଧ୍ୟ ସଂକ୍ରମଣ ହେଉଛି ।