ତାଣ୍ଡବ ରଚିଲା କାଳବୈଶାଖୀ : ଉଡିଗଲା ଛପର, ଗଛ ପଡି ଭାଙ୍ଗିଲା ଘର
25/05/2023 at 11:57 AM

ପାଟଣା ୨୫।୫: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ଅଞ୍ଚଳରେ କାଳବୈଶାଖୀ ପ୍ରଭାବ । ପ୍ରବଳ ବର୍ଷା ସହ ଝଡ଼ ତୋଫାନ ଯୋଗୁଁ କଇଣ୍ଡା ଗ୍ରାମର ୧୦ରୁ ଉର୍ଦ୍ଧ୍ବ ଘରର ଅଜବେଷ୍ଟସ ଓ ଖପର ଘରର ଛପର ଉଡିଯାଇଛି । ପବନର ବେଗ ଜୋର ଥିବାରୁ ବଡ଼ ବଡ଼ ଗଛ ପଡି ଯାଉଛି । ଘର ଉପରେ ଗଛ ପଡି ଘରର ଛପର ସହ ଅଜବେଷ୍ଟସ ଭାଙ୍ଗି ନଷ୍ଟ ହୋଇଛି । ଫଳରେ ଗାଈ ଗୋରୁ ଚାପି ହୋଇ ରହିଥିଲେ ।

ଏହାସହ ଟିଣ ଛପରଗୁଡିକୁ ଉଡାଇ ନେଇଥିବା ବେଳେ ସେଗୁଡିକ ଗଛ ଡାଳରେ ଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ଯୋଗୁଁ ବିଦ୍ୟୁତ ଖୁଣ୍ଟ ପଡିଯିବାରୁ ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ଠପ୍ ହୋଇଯାଇଛି ।

ଖବର ପାଇ ତୁରୁମୁଙ୍ଗା ସରପଞ୍ଚ ସୁଲେଖା ନାଏକ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।