ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ, ଘଡଘଡି ସହ ବର୍ଷା
14/06/2019 at 8:20 AM

ଭୁବନେଶ୍ବର ୧୪|୬: ବୁଧବାର ରାତି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାବେଳେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜି ମଧ୍ୟ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୬ରୁ ୮ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି।
୧୩ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ନୂଆପଡା, ବଲାଙ୍ଗିର, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ ଜିଲ୍ଲାକୁ ସକାଳ ୭ଟା ୪୫ରୁ ୧୦ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।
ସେପଟେ କେରଳରେ ପ୍ରାୟତଃ ସ୍ଥିର ହୋଇଯାଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇ ଆଗକୁ ବଢ଼ିବା ଆରମ୍ଭ କରିଛି । ତେଣୁ ୪ରୁ ୫ ଦିନ ମଧ୍ୟରେ ଅର୍ଥାତ୍ ଆସନ୍ତା ୧୮ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି । ମୌସୁମୀ ପ୍ରଭାବରେ ଆସନ୍ତା କାଲି କର୍ଣ୍ଣାଟକ ଉପକୂଳ ଏବଂ ୧୬ ତାରିଖ ବେଳକୁ ଉପକୂଳ ଆନ୍ଧ୍ରପ୍ରଦେଶରେ ବର୍ଷା ଆରମ୍ଭ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହି ସମୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଏହା ମୌସୁମୀକୁ ଅଧିକ ସକ୍ରିୟ କରାଇବ ।
ତେଣୁ ଯଦି ମୌସୁମୀର ଗତି ଏଭଳି ରହେ ତେବେ ୧୮ କିମ୍ବା ୧୯ ତାରିଖ ବେଳକୁ ଓଡ଼ିଶାକୁ ଭିଜାଇବ ମୌସୁମୀ । ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ଗଜପତି, କନ୍ଧମାଳ ଜିଲ୍ଲାରେ ପ୍ରଥମେ ମୌସୁମୀ ବର୍ଷା ଆରମ୍ଭ ହେବ। ଏହାପରେ ଉପକୂଳ ଓଡ଼ିଶାକୁ ସ୍ପର୍ଶ କରିବ। ଜୁନ୍ ୧୯ କିମ୍ବା ୨୦ ବେଳକୁ ପୁରୀ, ଖୋର୍ଦ୍ଧା, ଜଗତ୍ ସିଂହପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ବର, ଭଦ୍ରକ, ନୟାଗଡ଼କୁ ମୌସୁମୀ ଛୁଇଁବ। ସେହିପରି ୨୦ରୁ ୨୨ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ରାଜ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ।