‘କଭି ଖୁସି କଭି ଗମ୍’ ସିନେମାର ରିଲିଜ୍ ସମୟରେ କାହିଁକି ଖୁସି ନଥିଲେ କାଜଲ୍, କହିଲେ ଏହାର କାରଣ
18/08/2022 at 6:27 PM

ମୁମ୍ବାଇ: ‘ଦିଲ୍ଓ୍ବାଲେ ଦୁଲ୍ହନିୟା ଲେ ଯାୟେଙ୍ଗେ’ର ସଫଳତା ପରେ କରଣ୍ ଜୋହର୍ ପୁଣିଥରେ କାଜଲ୍ ଓ ଶାହରୁଖ୍ ନେଇ କୁଛ୍ କୁଛ୍ ହୋତା ହୈ ସିନେମା ବନାଇଥିଲେ। ସିନେମାଟି ଖୁବ୍ ସଫଳ ହୋଇଥିଲା। ରାନୀ ମୁଖାର୍ଜୀ ଓ ସଲ୍ମାନ୍ ଖାନ୍ଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଲା। ତାପରେ ପରଦାକୁ ଆସିଲା କରଣଙ୍କ ବଲିଉଡ୍ ଡ୍ରାମା କଭି ଖୁସି କଭି ଗମ୍। ସିନେମାରେ ଥିଲା ସବୁକିଛି। ବଲିଉଡ୍ର ମହାନାୟକ ଅମିତାଭ୍ ବଚ୍ଚନ, ଜୟା ବଚ୍ଚନ, ହ୍ରିତିକ୍ ରୋଶନ୍ ଏବଂ କରିନା କପୁର ଖାନ୍ ସାଙ୍ଗକୁ ସୁରଜ୍ ହୁଆ ମାଥମ୍ ଗୀତରେ ହିନ୍ଦୀ ସିନେମାରେ ରୋମାନ୍ସର ନୂଆ ଅଧ୍ୟାୟ ଯୋଡି ହୋଇଥିଲା ।

ଶାହରୁଖ ଓ କାଜଲ୍ଙ୍କ ଯୋଡି ଯେମିତି ଦର୍ଶକଙ୍କ ଉପରେ ଯାଦୁ କରିଦେଇଥିଲା। ସିନେମାଟି ଏତେ ସଫଳ ହୋଇଥିଲା ଯେ ଏବେ ବି ଏହା ବଲିଉଡ୍ର ଟପ୍ ସିନେମା ଭିତରେ ଗଣାଯାଏ। ଏବେ ବି ଦେଶ ବିଦେଶରୁ ଲୋକ ସିନେମାକୁ ଭରପୂର ଭଲପାଇବା ଦିଅନ୍ତି। ଏଥିରେ କାଜଲ୍ଙ୍କ ଚୁଲ୍ବୁଲି ଓ ସରଳ ଅନ୍ଦାଜ୍କୁ ଲୋକେ ଭୁରି ଭୁରି ପ୍ରଶଂସା କରନ୍ତି। ହେଲେ ରିୟଲ୍ ଲାଇଫ୍ରେ ସିନେମାର ରିଲିଜ୍ରେ ଖୁସି ନଥିଲେ ଅଭିନେତ୍ରୀ କାଜୋଲ୍।

୨୦୦୧ରେ ଫିଲ୍ମ କଭି ଖୁସି କଭି ଗମ୍ ସମୟରେ କାଜୋଲ୍ ଗର୍ଭବତୀ ଥିଲେ। ଫିଲ୍ମଟି ରିଲିଜ୍ ହୋଇ ବହୁତ୍ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ରିଲିଜ୍ ଓ ଫିଲ୍ମର ଏତେ ମାତ୍ରାରେ ସଫଳତା ପରେ ବି ଖୁସି ହୋଇପାରିନଥିଲେ କାଜଲ୍। ନିକଟରେ ଏକ ଇଣ୍ଟରଭ୍ୟୁରେ କାଜଲ ଏହା ଜଣାଇଛନ୍ତି। ସେ କହିଛନ୍ତି ଯେ କଭି ଖୁସି କଭି ଗମ୍ର ରିଲିଜ୍ ସମୟରେ ତାଙ୍କର ସ୍ବତଃ ଗର୍ଭପାତ ହୋଇଯାଇଥିଲା। ତେଣୁ ସେହି ସମୟରେ ସେ ଏକ କଷ୍ଟଦାୟକ ସମୟ ଦେଇ ଗତି କରୁଥିଲେ।

ବଲିଉଡ୍ ହଙ୍ଗାମାକୁ ନିକଟରେ ଏକ ଇଣ୍ଟରଭ୍ୟୁ ରେ କାଜଲ୍ ଜଣାଇଛନ୍ତି- “ସିନେମାଟି ବହୁତ ଭଲ ପ୍ରଦର୍ଶନ କରୁଥିଲା, କିନ୍ତୁ ସେହି ସମୟ ଖୁସିର ସମୟ ନଥିଲା। ତାପରେ ଆଉ ଏକ ଗର୍ଭପାତ ହୋଇଥିଲା। ଏହା ବହୁତ ଯନ୍ତ୍ରଣାଦାୟକ ଥିଲା। କିନ୍ତୁ ଏବେ ନାୟିସା ଓ ୟୁଗକୁ ପାଇ ଆମ ପରିବାର ସଂପୂର୍ଣ୍ଣ ହୋଇଛି।“ ଏବେ କାଜଲ୍ ସ୍ବାମୀ ଓ ପରିବାର ସହିତ ନିଜ ଜୀବନରେ ଖୁସିରେ ଥିବା କଥା କହିଛନ୍ତି।