ଇତିହାସ ରଚିଲେ କେ. ଶ୍ରୀକାନ୍ତ : ବିଡବଲ୍ୟୁଏଫ୍ ବିଶ୍ୱ ଚାମ୍ପିଅନସିପରେ ଜିତିଲେ ରୌପ୍ୟ

Published By : Prameya-News7 Bureau | December 20, 2021 IST

ନୂଆଦିଲ୍ଲୀ,୨୦/୧୨: ପ୍ରତିଭାବାନ ବ୍ୟାଡମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି । ଭାରତର ପ୍ରଥମ ପୁରୁଷ ଖେଳାଳି ଭାବେ ଶ୍ରୀକାନ୍ତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ୍‌ ମୁକାବିଲାରେ ଶ୍ରୀକାନ୍ତ ଉନ୍ନତ ଖେଳ ପ୍ରଦର୍ଶନ କରିଥିଲେ ହେଁ ସିଙ୍ଗାପୁର ବିସ୍ମୟ ଲୋ କିନ୍‌ ୟୁଙ୍କ ଠାରୁ ୧୫-୨୧, ୨୦-୨୨ ଗେମ୍‌ରେ ପରାଜିତ ହୋଇଥିଲେ । ଉଭୟ ଗେମ୍‌ ଆରମ୍ଭରୁ ଶ୍ରୀକାନ୍ତ ଅଗ୍ରଣୀ ହାସଲ କରିଥିଲେ ହେଁ ପରବର୍ତ୍ତୀ ପର୍ଯ୍ୟାୟରେ ଲୋ କିନ୍‌ ଲଢୁଆ ପ୍ରତ୍ୟାବର୍ତ୍ତନ କରିବାରେସଫଳ ହୋଇଥିଲେ ।

ଭାରତୀୟ ପୁରୁଷ ଖେଳାଳିଙ୍କ ମଧ୍ୟରେ ଶ୍ରୀକାନ୍ତଙ୍କ ପୂର୍ବରୁ ୧୯୮୩ରେ ପ୍ରକାଶ ପାଦୁକୋନ ଓ ୨୦୧୯ରେ ବି ସାଇ ପ୍ରଣୀତ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଚଳିତ ବର୍ଷ ଶ୍ରୀକାନ୍ତଙ୍କ ବ୍ୟତୀତ ଲକ୍ଷ୍ୟ ସେନ୍‌ ମଧ୍ୟ ବ୍ରୋଞ୍ଜ ପଦକ ଜିତି ଭାରତୀୟ ବ୍ୟାଡମିଣ୍ଟନରେ ସଫଳ ଫର୍ଦ୍ଦ ଯୋଡିଥିଲେ । ଏକମାତ୍ର ଭାରତୀୟ ଭାବେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୧୯ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଫାଇନାଲରେ ସେ ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ । ସିନ୍ଧୁଙ୍କ ନାମରେ ୫ଟି ବିଶ୍ୱ ଚାମ୍ପିଅନ୍‌ସିପ୍‌ (୧ସ୍ୱର୍ଣ୍ଣ, ୨ରୌପ୍ୟ, ୨ବ୍ରୋଞ୍ଜ)ପଦକ ରହିଛି । ସାଇନା ନେହୱାଲ ୨୦୧୫ରେ ରୌପ୍ୟ ଓ ୨୦୧୭ରେ ବ୍ରୋଞ୍ଜ ପଦକ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.