ଆଜି ବିଜେପିରେ ମିଶିବେ ସିନ୍ଧିଆ, ସେପଟେ ମଧ୍ୟପ୍ରଦେଶ ବିଜେପିରେ ଏବେବି ସ୍ପଷ୍ଟ ହେଉନି ଚିତ୍ର

Published By : Prameya-News7 Bureau | March 11, 2020 IST

ଭୋପାଳ ୧୧।୦୩: ମଧ୍ୟପ୍ରଦେଶରେ ଚାଲିଛି ରାଜନୈତିକ ନାଟକ । ମଙ୍ଗଳବାର ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ବାଏବାଏ କରିସାରିଥିବା ବେଳେ ବୁଧବାର (ଆଜି) ସେ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବୁଧବାର ମଧ୍ୟାହ୍ନ ୧୨ଟା ପରେ ସେ ଗେରୁଆ ପିନ୍ଧିବେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ସେ ମଙ୍ଗଳବାର ସଂଧ୍ୟାରେ ବିଜେପିରେ ମିଶିବେ ବୋଲି ଶୁଣିବାକୁ ମିଳୁଥିଲା  । ସେହିପରି ବିଜେପି ବୁଧବାର ଦିନ ମଧ୍ୟପ୍ରଦେଶ ପାଇଁ ତାର ରାଜ୍ୟସଭା ନାଁ ଘୋଷଣା କରିବାକୁ ଥିବା ବେଳେ ଏଥିରେ ସିନ୍ଧିଆଙ୍କୁ ସାମିଲ କରାଯିବ  ବୋଲି ସୂଚନା ମିଳୁଛି । ପରେ ସଂସଦରେ ବଜେଟ୍ ଅଧିବେଶନ ସରିବା ପରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବ । ଯେଉଁଥିରେ ସିନ୍ଧିଆଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ । କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ମିଶିବା ନେଇ ମଧ୍ୟପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ଚିତ୍ର ସ୍ପଷ୍ଟ ହେଉନାହିଁ ବୋଲି ଜଣାପଡିଛି । ସ୍ଥାନୀୟ ନେତା କ୍ୟାମେରା ସମ୍ମୁଖରେ ଜ୍ୟାେତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିରେ ସ୍ବାଗତ କରୁଥିଲେ ମଧ୍ୟ ଦଳ ମଧ୍ୟରେ କିଛିଟି ବିରୋଧାଭାସ ରହିଛି । ଯାହା ଆଗାମୀ ଦିନରେ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ବିଜେପି ଶୀର୍ଷ ନେତୃତ୍ବଙ୍କ ଉପରେ ରହିଲା ମଧ୍ୟପ୍ରଦେଶର କୁହୁଳୁଥିବା ବିରୋଧ୍ୟାସକୁ କିପରି ସମାଧାନ କରିବେ ।

ତେବେ ବିଜେପିରେ ମିଶିବା ପରେ ସେ ସିଧା ଗୋଆଲିଅର ଯିବେ । ସେଠାରୁ ଭୋପାଳ ପାଇଁ ଯାତ୍ରା ଆରମ୍ଭ କରିବେ । ପୂର୍ବରୁ ଜ୍ୟୋତିରାଦିତ୍ୟ  ମଙ୍ଗଳବାର ଦିନ ଶାହା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେପଟେ ଜ୍ୟୋତିରାଦିତ୍ୟଙ୍କ ଇସ୍ତଫା ଦେବା ପରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.