ମଧ୍ୟପ୍ରଦେଶ ବିଜେପି ସରକାରରେ ସବୁ ଠିକ୍ ଚାଲିନି : ଅମଲାଙ୍କ ଉପରେ ବର୍ଷିଲେ ସିନ୍ଧିଆ କ୍ୟାମ୍ପର ମନ୍ତ୍ରୀ ଓ ବିଧାୟକ

Published By : Prameya-News7 Bureau | September 05, 2022 IST

ଭୋପାଳ ୦୫/୦୯: ମଧ୍ୟପ୍ରଦେଶରେ ବିଜେପି ସରକାରରେ ସବୁକିଛି ଠିକ୍ ଚାଲିନଥିବା ଦେଖିବାକୁ ମିଳିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହଯୋଗୀ ବିଧାୟକଙ୍କ ଟାର୍ଗେଟରେ ଶିବରାଜ ସିଂ ଚୌହ୍ୱାନ ସରକାର । ସରକାରଙ୍କ ଅନେକ ନିଷ୍ପତ୍ତି ଓ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ସିନ୍ଧିଆ କ୍ୟାମ୍ପର ବିଧାୟକ ଓ ମନ୍ତ୍ରୀ ।  

ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଶିବରାଜଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି । ଦୁଇ ମନ୍ତ୍ରୀ ହେଲେ ମହେନ୍ଦ୍ର ସିସୋଦିଆ ଓ ବ୍ରିଜେନ୍ଦ୍ର ସିଂ । ସେମାନେ ରାଜ୍ୟ ସମବାୟ ସୋସାଇଟି କମିଶନର ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ସେହିପରି ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଧାୟକ ସୀତାସରନ ଶର୍ମା ନର୍ମଦାପୁରମରେ ରାସ୍ତାକାମରେ ଅବ୍ୟବସ୍ଥା ନେଇ ବିଦ୍ୟୁତ ବିଭାଗ ଉପରେ ବର୍ଷିଛନ୍ତି ।

ଏତତ୍ ବ୍ୟତୀତ ନାରାୟଣ ତ୍ରିପାଠୀ ନାମକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଖଣି ଲିଜ ଦେବାରେ ଅବ୍ୟବସ୍ଥା ନେଇ ଅଭିଯୋଗ କରିଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ମହେନ୍ଦ୍ର ସିସୋଦିଆ ମୁଖ୍ୟ ଶାସନ ସଚିବଙ୍କୁ ଟାର୍ଗେଟ୍ କରି ତୃଣମୂଳ ସ୍ତରରେ ସରକାରୀ ଯୋଜନା ପହଁଚି ପାରୁନଥିବା କହିଛନ୍ତି । ଏହାସହ ପ୍ରଶାସନ ନିରୁଙ୍କୁଶ ହୋଇଯାଇଥିବା ସେ କହିଛନ୍ତି । ତେବେ ସେମାନେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହ୍ୱାନଙକୁ ପ୍ରଶଂସା କରିବା ସହ ଦେଶର ସବୁଠୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ।

ତେବେ ବିଜେପି ମନ୍ତ୍ରୀଙ୍କ ଏପରି ଆକ୍ଷେପର ମଜା ନେଇଛି କଂଗ୍ରେସ । ଏହି ନେତାମାନେ କଂଗ୍ରେସରେ ଥିଲା ବେଳେ ଏପରି ସରକାରକୁ ଅଡୁଆରେ ପକାଇଥିଲେ । ସେମାନେ ରାଜନୀତି ନୁହେଁ ବେପାର କରୁଛନ୍ତି ବୋଲି କଂଗ୍ରେସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.