ବ୍ରହ୍ମପୁର ସୁଧାର ଗୃହରେ ବାପା ମା ଛେଉଣ୍ଡ ନାବାଳକର ଆତ୍ମହତ୍ୟା: ୧୫ ଦିନ ପରେ ବି ପ୍ରଶାସନ ପାଖରେ ନାହିଁ ଖବର

Published By : Prameya-News7 Bureau | November 03, 2018 IST

ବ୍ରହ୍ମପୁର୩|୧୧: ସୁଧାର ଗୃହରେ ନାବାଳକର ଆତ୍ମହତ୍ୟା । ବ୍ରହ୍ମପୁର ରେଲଓ୍ବେ ଷ୍ଟେସନରୁ ଉଦ୍ଧାର ହୋଇଥିବା ଏହି ନାବାଳକକୁ ସିଡବ୍ଲୁସିକୁ ହସ୍ତାନ୍ତର ପରେ ତାକୁ ବ୍ରହ୍ମପୁର ଜ୍ୟୋତି ନଗର ସୁଧାର ଗୃହରେ ରଖାଯାଇଥିଲା । ତେବେ ଏନେଇ ଜିଲ୍ଲା ପ୍ରଶାସନ କି ବ୍ଲକ ପ୍ରଶାସନ ପାଖରେ ଖବର ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୋଗ ପରେ ଘଟଣାର ତଦନ୍ତ ନେଇ ଆଶ୍ବାସନା ଦେଇଛନ୍ତି ବ୍ରହ୍ମପୁର ଏସପି । …. ସୁଧାର ଗୃହର ନାବାଳକର ଆତ୍ମହତ୍ୟା । ଘଟଣାର ୧୫ଦିନ ପରେ ବି ଜିଲ୍ଲା ପ୍ରଶାସନ କି ବ୍ଲକ ପ୍ରଶାସନ ପାଖରେ ଖବର ନାହିଁ । କିଛି ଦିନ ତଳେ ବ୍ରହ୍ମପୁର ରେଲଓ୍ବେ ଷ୍ଟେସନରୁ କିଛି ପିଲାଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲା ରେଲଓ୍ବେ ପୋଲିସ । ଏହାପରେ ସେମାନଙ୍କୁ ସ୍ଥାନୀୟ ଜ୍ୟୋତି ନଗର ସୁଧାର ଗୃହରେ ରଖାଯାଇଥିଲା । ଖବର ପାଇ ପରିବାର ଲୋକେ ସଂପୃକ୍ତ ସୁଧାର ଗୃହରେ ପହଞ୍ଚି ଉଦ୍ଧାର ହୋଇଥିବା ପିଲାଙ୍କ ଭିତରୁ ବାୟା ଦାସକୁ ଘରକୁ ଫେରାଇ ନେବାକୁ ଚାହିଁଥିଲେ । ସୁଧାର ଗୃହ ପକ୍ଷରୁ ସେମାନଙ୍କୁ ପିଲାର ଆଧାର କାର୍ଡ଼ ଆଣି ଆସିବାକୁ କୁହାଯାଇଥିଲା । ହେଲେ ୟା’ ଭିତରେ ବାୟା ଦାସ ସୁଧାର ଗୃହରେ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ ବାୟା ଦାସଙ୍କ ପରିବାର । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ରାଜୀବନଗର ଗାଁର ତାବତିଆ ଦାସ ଏବଂ ଗୋଲି ଦାସଙ୍କ ମୃତ୍ୟୁ ପରେ ତାଙ୍କର ଛୋଟ ଛୋଟ ପିଲା ତିନୋଟି ବେସାହାରା ହୋଇପଡ଼ିଥିଲେ । ଅଭାବ ଅନଟନ ସତ୍ବେ ମାମୁ ମାଇଁ ସେମାନଙ୍କୁ ପାଖରେ ରଖିଥିଲେ ।ହେଲେ ବଡ଼ପୁଅ ବାୟା ଦାସର ଏଭଳି ଅବସ୍ଥାରେ ଆତ୍ମହତ୍ୟା ଜନିତ ମୃତ୍ୟୁ ସେମାନଙ୍କୁ ଦୁଃଖ ଦେଇଛି । ଏବେ ଅନ୍ୟ ଦୁଇ ପିଲାଙ୍କୁ ନେଇ ଚିନ୍ତାରେ ପୂରା ପରିବାର । ସରକାର ଯଦି ସହାୟତାର ହାତ ବଢ଼ାନ୍ତେ ତାହେଲେ ଦୁଇ ଅନାଥ ଶିଶୁଙ୍କ ଭବିଷ୍ୟତ ସୁଧୁରି ଯାଆନ୍ତା ବୋଲି ସେମାନେ ଏବେ ଆଶା କରିବସିଛନ୍ତି । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ରାଜୀବନଗର ଗାଁର ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆକ୍ସନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିଜ ଅଂଚଳର ଗରିବ ଗୁରୁବାଙ୍କ ଅଭାବ ଅସୁବିଧା ବୁଝିବା ସହ ସେମାନଙ୍କ ପାଖରେ ସରକାରୀ ଯୋଜନାର ସହାୟତା ପହଞ୍ଚାଇବା ପାଇଁ ସରକାର ଯେଉଁ ନିର୍ଦେଶ ଦେଇଛନ୍ତି ତାହାକୁ ଏମାନେ କେମିତି ପାଳନ କରୁଛନ୍ତି ତାହା ଏଇ ଘଟଣାରୁ ବେଶ୍‌ ସ୍ପଷ୍ଟ ହୋଇଯାଇଛି । ଏଥି ସହିତ ସୁଧାର ଗୃହର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବାୟା ଦାସ କାହିଁକି ଓ କେମିତି ଆତ୍ମହତ୍ୟା କଲା ତାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.