ଚାଷୀ ଆନ୍ଦୋଳନକୁ ନେଇ କାନାଡାର ଦୋମୁହାଁ ନୀତି, WTOରେ ଭାରତର ଏମଏସ୍‌ପିକୁ କଲା ବିରୋଧ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୦୫/୧୨: ଦିଲ୍ଲୀ ବର୍ଡରରେ ହଜାର ହଜାର କୃଷକ ନୂଆ କୃଷି ନିୟମକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ୩ ନୂଆ କୃଷି ନିୟମ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି ଚାଷୀ। ଆନ୍ଦୋଳନ ତୀବ୍ର କରିବାକୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ। ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବା ବେଳେ ପରବର୍ତ୍ତୀ କୃଷକ-ସରକାର ଆଲୋନା ବୁଧବାର ଅଛି।ତେବେ ଭାରତର କୃଷକ ଆନ୍ଦୋଳନକୁ ବିଶ୍ବର ଅନେକ ଦେଶ ସମର୍ଥନ କରୁଥିବା ଦେଖିବାକୁ ମିଳିଥିବା କାନାଡା କିନ୍ତୁ ଦୋମୁହାଁ ନୀତି ଆପଣାଇଛି।

କାନାଡା ସବୁବେଳେ ବିଶ୍ବରେ ହେଉଥିବା ଶାନ୍ତିପୂର୍ଣ୍ଣ ବିରୋଧ ଅଧିକାରକୁ ସମର୍ଥନ କରେ ବୋଲ ଶୁକ୍ରବାର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଥିଲେ । ଅନ୍ୟପଟେ ଶନିବାର ଦିନ କାନାଡାର ସରକାରୀ ଦଳ ବିଶ୍ବ ବ୍ୟାପାର ସଂଗଠନ (WTO)ରେ ଭାରତର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଓ ଅନ୍ୟ କୃଷି ନୀତିକୁ ବିରୋଧ କରିଥିବା ଦେଖିବାକୁ ମିଳିଛି। ତେବେ WTOରେ ଭାରତର କୃଷି ନୀତି ବିରୋଧରେ ପ୍ରଶ୍ନ ଉଠାଇ କାନାଡା ନିଜର ଦୋମୁହାଁ ନୀତିର ପରିଚୟ ଦେଇଛି।

ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏହା ସହ ସେ କହିଥିଲେ କାନାଡା ଶନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ସବୁ ବେଳେ ସମର୍ଥନ କରେ। ଏହା ସହ ଏଭଳି ପରିସ୍ଥିତି ଉପରେ ଚିନ୍ତା ଜାହିର କରିଥିଲେ।

ଜଷ୍ଟିନ୍‌ ଟ୍ରୁଡୋଙ୍କ ଏହି ମନ୍ତବ୍ୟ ଉପରେ ଭାରତ କଡ଼ା ଜବାବ ଦେଇଥିଲା। ଶୁକ୍ରବାର କାନାଡା ଉଚ୍ଚାୟୁକ୍ତ ନାଦିର ପଟେଲଙ୍କୁ ସମନ ଜାରି କରି ଟ୍ରୁଡୁ ଓ ତାଙ୍କ ମନ୍ତ୍ରୀମଣ୍ଡଳଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା। ଦେଶର ଭିତର ମାମଲାରେ ହସ୍ତେକ୍ଷେପ ବରଦାସ୍ତ କରାଯିବନି ଏବଂ ଏଭଳି ଯଦି ଜାରି ରହେ ତେବେ ଭାରତ ଓ କାନାଡା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବ ବୋଲି ବୈଦେଶିକ ମନ୍ତ୍ରାଳୟ ସଫା ସଫା ଜଣାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.