ବିଲକିସ୍ବାନୋ କେସ୍: ସୁପ୍ରିମକୋର୍ଟରେ ଶୁଣାଣିରୁ ନିଜକୁ ପୃଥକ କଲେ ଜଷ୍ଟିସ୍ ତ୍ରିବେଦୀ, ଜଣାଇ ନାହାନ୍ତି କାରଣ
13/12/2022 at 5:20 PM

ନୂଆଦିଲ୍ଲୀ ୧୩।୧୨: ବିଲକିସ୍ ବାନୋ କେସ୍ରେ ଦୋଷୀମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରିଦେବା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ପୂ୍ର୍ବରୁ ଜଷ୍ଟିସ୍ ବେଲା ଏମ.ତ୍ରିବେଦୀ ନିଜକୁ ଦୂରେଇ ନେଇଛନ୍ତି। ଏହି କେସ୍ ସୁପ୍ରିମକୋର୍ଟଙ୍କ ଦ୍ୱୀସଦସୀୟ ବେଞ୍ଚରେ ଜଷ୍ଟିସ୍ ବେଲା ଏମ. ତ୍ରିବେଦୀ ଓ ଜଷ୍ଟିସ୍ ଅଜୟ ରସ୍ତୋଗୀ ଶୁଣାଣି କରିବାର ଥିଲା। ତେବେ ମଙ୍ଗଳବାର ଯେତେବେଳେ ଜଷ୍ଟିସ୍ ରସ୍ତୋଗୀ ଓ ଜଷ୍ଟିସ୍ ତ୍ରିବେଦୀଙ୍କ ବେଞ୍ଚରେ ମାମଲା ପେସ୍ ହେଲା ଜଷ୍ଟିସ୍ ରସ୍ତୋଗୀ ମାମଲାକୁ ଏପରି କୌଣସି ବେଞ୍ଚରେ ଉପସ୍ଥାପିତ କରାଯାଉ ଯେଉଁଠି ଆମ ମଧ୍ୟରୁ କେହିବି ସଦସ୍ୟ ନଥିବେ ବୋଲି କହିଛନ୍ତି।
ତେବେ ଜଷ୍ଟିସ୍ ରସ୍ତୋଗୀ ଓ ଜଷ୍ଟିସ୍ ତ୍ରିବେଦୀ ମାମଲାରୁ ନିଜକୁ ପୃଥକ କରିବାର କାରଣ ସମ୍ପର୍କରେ କିଛି ଜଣାଇ ନାହାନ୍ତି। ଅନ୍ୟପକ୍ଷରେ ବିଲକିସ୍ଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ଶୋଭା ଗୁପ୍ତା ସୁପ୍ରିମକୋର୍ଟଙ୍କ ଶୀତକାଳୀନ ଅବକାଶ ହେବାକୁ ଯାଉଥିବା କହିଥିଲେ। ତେବେ କୋର୍ଟ ପୂର୍ବରୁ ମାମଲାର ସଂଜ୍ଞାନ ନେଇଥିବା ଓ ଜବାବୀ ଆଫିଡେଭିଟ ମଧ୍ୟ ଦାଖଲ ହୋଇସାରିଥିବା ବେଞ୍ଚ କହିଥିଲେ। କୋର୍ଟ ୨୫ ଅଗଷ୍ଟ ୨୦୨୨ରେ ପ୍ରଥମ ଆବେଦନ ଉପରେ ନୋଟିସ୍ ଜାରି କରିଥିଲେ। ସେତବେଳେ ପୂର୍ବତନ ସିଜେଆଇ ଏନ.ଭି.ରମନ୍ନାଙ୍କ ନେତୃତ୍ୱରେ ବେଞ୍ଚ ମାମଲାର ଶୁଣାଣି କରୁଥିଲେ।
ଉଲ୍ଲେଖଯୋଗ୍ୟ ଯେ ୨୦୦୨ ଗୋଧରା ଦଙ୍ଗାକାଳରେ ବିଲକିସ୍ ବାନୋଙ୍କ ପ୍ରତି ଗଣ ଦୁଷ୍କର୍ମ ସହ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ସମସ୍ତ ୧୧ ଜଣ ଦୋଷୀଙ୍କୁ ସରକାର ସମୟ ପୂର୍ବରୁ ଜେଲରୁ ମୁକ୍ତ କରିଦେଇଛନ୍ତି। ଏହା ବିରୋଧରେ ବିଲକିସ୍ ବାନୋ ସୁପ୍ରିମକୋର୍ଟରେ ୨ଟି ପିଟିସନ ଦାୟର କରିଛନ୍ତି। ପ୍ରଥମ ପିଟିସନରେ ସେ ସୁ୍ପ୍ରିମକୋର୍ଟଙ୍କ ୧୩ ମେ ୨୦୨୨ଆଦେଶ ସମୀକ୍ଷା ଲାଗି ନିବେଦନ କରିଛନ୍ତି।
ସେହିପରି ଦ୍ୱିତୀୟ ପିଟିସନରେ ଦୋଷୀମାନଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଛନ୍ତି। ଯାହା ଉପରେ ମଙ୍ଗଳବାର ଜଷ୍ଟିସ୍ ଅଜୟ ରସ୍ତୋଗୀ ଓ ଜଷ୍ଟିସ୍ ବେଲା ଏମ. ତ୍ରିବେଦୀଙ୍କ ଦ୍ୱୀସଦସୀୟ ବେଞ୍ଚ ଶୁଣାଣି କରିବାର ଥିଲା। ତେବେ ଜଷ୍ଟିସ୍ ତ୍ରିବେଦୀ ନିଜକୁ ମାମଲାରୁ ପୃଥକ କରିନେଇଥିବା ବେଳେ ଜଷ୍ଟିସ ରସ୍ତୋଗୀ ମଧ୍ୟ ଏଥିରୁ ବାହାରି ଯାଇଛନ୍ତି। ବିଲକିସ୍ ବାନୋ ଅଗଷ୍ଟ ୧୫ ତାରିଖରେ ଦୋଷୀଙ୍କ ମୁକ୍ତିରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ଆଇନର ଆବଶ୍ଯକତାକୁ ସମ୍ପୂ୍ର୍ଣ୍ଣ ଅଣଦେଖା କରି ଏକ ମେକାନିକାଲ ଆଦେଶ ଗୃହୀତ କରିଥିବାର ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧ ଜାନୁୟାରୀ ୨୦୦୮ରେ ମାମଲାର ୧୧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ କରିଥିଲେ। କୋର୍ଟଙ୍କ ଏହି ଆଦେଶକୁ ପରେ ବମ୍ବେ ହାଇକୋର୍ଟ ଓ ସୁ୍ପ୍ରିମକୋର୍ଟ ମଧ୍ୟ କାୟମ ରଖିଥିଲେ। ତେବେ ଚଳିତବର୍ଷ ମାମଲାରେ ନୂଆ ମୋଡ ଆସିଥିଲା, ଯେତେବେଳେ ଗୁଜରାଟ ସରକାର ତାଙ୍କର କ୍ଷମା ନୀତିରେ ସମସ୍ତ ୧୧ ଜଣ ଜାକ ଦୋଷୀଙ୍କୁ ଅଗଷ୍ଟ ୧୫ ତାରିଖ ଦିନ ଗୋଧରା ଉପକାରାଗାରରୁ ମୁକ୍ତ କରିଦେଇଥିଲେ।