ଅବସର ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର
7/08/2023 at 6:50 PM

କଟକ ୭।୮: ଅବସର ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର । ଓଡିଶା ହାଇକୋର୍ଟରେ ସେ ଦୀର୍ଘ ୩୧ ମାସ ଧରି ମୁଖ୍ୟ ବିଚାରପତି ଭାବେ ନିଷ୍ଠାର ସହ କାର୍ଯ୍ୟ ତୁଲାଇଛନ୍ତି । ନ୍ୟାୟିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । କୋର୍ଟ ରୁମରେ ବିଚାରପତିମାନଙ୍କୁ ମାଇଁ ଲର୍ଡ଼ ବା ୟୋର ଅନର ବୋଲି ନ ଡାକି କେବଳ ସାର ବୋଲି ସମ୍ବୋଧନ କରିବାକୁ ତାଙ୍କ ସମୟରେ ଉଦ୍ୟମ ହୋଇଛି ।
ଓଡିଶା ହାଇକୋର୍ଟର ୩୨ ତମ ମୁଖ୍ୟ ବିଚାରପତି ଭାବେ ୨୦୨୧ ଜାନୁଆରୀ ୪ ତାରିଖରେ ସେ ଶପଥ ଗ୍ରହଣ କରିଥିଲେ । ଜଷ୍ଟିସ ମୁରଲୀଧରଙ୍କ ସମୟରେ ଓଡିଶା ହାଇକୋର୍ଟ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ପେପର ଲେସ୍ କରାଇବାରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି । ଯାହା ହେଉଛି ସାରା ଦେଶରେ ଏକ ରେକର୍ଡ । ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ କୋର୍ଟରେ ପେପର ଲେସ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ତାଙ୍କ ଉଦ୍ୟମରେ ୨୦୨୧ ଏପ୍ରିଲ ୫ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଛି ଇ-ଫାଇଲିଙ୍ଗ ୱେବ ପୋର୍ଟାଲ ।
ସେହିଭଳି କୋର୍ଟ ଶୁଣାଣିର ଲାଇଭ ଷ୍ଟ୍ରିମିଙ୍ଗ ୨୦୨୧ ଅଗଷ୍ଟ ୨ ରୁ ଆରମ୍ଭ ହୋଇଥିଲା । କୋଭିଡ ସମୟରେ ହାଇବ୍ରିଡ଼ ମୋଡ଼ରେ ଭର୍ଚ୍ଚୁଆଲ କୋର୍ଟ କାର୍ଯ୍ୟ ସଫଳ ଭାବେ ପରିଚାଳନା କରିବାରେ ଜଷ୍ଟିସ ମୁରଲୀଧରଙ୍କର ଢେର ଅବଦାନ ରହିଛି । ପ୍ରାୟ ଦୁଇ ଶହ ବର୍ଷର ପୁରୁଣା ରେକର୍ଡକୁ ଡିଜିଟାଲାଇଜେସନ କରିବାରେ ସେ ସମର୍ଥ ହୋଇଛନ୍ତି । ଓଡିଶା ହାଇକୋର୍ଟରେ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ ଓ ମ୍ୟୁଜିୟମ ଅଫ ଜଷ୍ଟିସ ପ୍ରତିଷ୍ଠା କରି ସେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ଜଷ୍ଟିସ ମୁରଲୀଧର ୧୯୮୪ ମସିହାରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମଧ୍ୟ ପ୍ରାକ୍ଟିସ କରିଥିଲେ । ୨୦୦୬ ମେ’ ୨୯ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦୨୦ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଥିବା ବେଳେ ତାଙ୍କର ପଞ୍ଜାବ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିଲା । ୨୦୨୦ ମାର୍ଚ୍ଚ ୬ ରୁ ୨୦୨୧ ଜାନୁଆରୀ ୩ ତାରିଖ ଯାଏଁ ପଞ୍ଜାବ ହରିୟାଣା ହାଇକୋର୍ଟରେ ସେ ବିଚାରପତି ଥିଲେ । ଏହାପରେ ସେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ।
ସେପଟେ ମଙ୍ଗଳବାର ଜଷ୍ଟିସ ସୁବାଶିଷ ତାଳପତ୍ର ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ହାଇକୋର୍ଟ ପରିସରରେ ସକାଳ ୧୦ଟା ସମୟରେ ଜଷ୍ଟିସ ତାଳପତ୍ରଙ୍କ ଶପଥ ଗ୍ରହଣ ଉତ୍ସବ ସମ୍ପାଦନ ହେବାର କାର୍ଯ୍ୟକ୍ରମ ରହିଛି ।
You Can Read :