ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ

Published By : Prameya-News7 Bureau | March 20, 2019 IST

ନୂଆଦିଲ୍ଲୀ ୨୦|୩ : ଦେଶର ପ୍ରଥମ ଲୋକପାଳ ନିଯୁକ୍ତ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ନିଯୁକ୍ତ ହୋଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ,  ବାଚସ୍ପତି, ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ ୫ ଜଣିଆ ଉଚ୍ଚକ୍ଷମତା ସଂପନ୍ନ କମିଟି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କ ନାଁ ଚୂଡାନ୍ତ କରି ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ ।

ମଙ୍ଗଳବାର ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ । ଏହାସହ ଲୋକପାଳର ୮ ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଜୁଡିସିଆଲ୍ ଓ ୪ ଜଣ ନନ୍ ଜୁଡିସିଆଲ ସଦସ୍ୟ । ଜୁଡିସିଆଲ୍ ସଦସ୍ୟ ହେଲେ ଜଷ୍ଟିସ୍ ଦିଲ୍ଲୀପ ବି ଭୋଁସଲେ, ଜଷ୍ଟିସ୍ ଏ. କେ. ତ୍ରିପାଠୀ, ଜଷ୍ଟିସ୍ ପ୍ରଦୀପ ମହାନ୍ତି, ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀ ।

ପୂର୍ବତନ ସଶସ୍ତ୍ର ସୀମାବଳ ମୁଖ୍ୟ ଅର୍ଚ୍ଚନା ରାମସୁନ୍ଦରମ୍, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ଦୀନେଶ କୁମାର ଜୈନ୍, ମହେନ୍ଦ୍ର ସିଂ, ଇନ୍ଦ୍ରଜିତ୍ ପ୍ରସାଦ ଗୌତମ ନନ୍ ଜୁଡିସିଆଲ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ୨୦୧୪ରେ ଲୋକପାଳ ଆଇନ ପ୍ରଣୟନ କରାଯାଇଥିଲା ।

ହେଲେ ଲୋକପାଳ ନିଯୁକ୍ତରେ ବିଳମ୍ବକୁ ନେଇ ଏନ୍.ଜି.ଓ କମନ୍ କଜ୍ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା । ମାର୍ଚ୍ଚ ୭ରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ,କେବେ ଲୋକପାଳ ନିଯୁକ୍ତି ଚୂଡାନ୍ତ ହେବ ୧୫ ଦିନ ଭିତରେ କୋର୍ଟଙ୍କୁ ଜଣାଇବାକୁ ନିର୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.