ନିର୍ଭୟା ଦୋଷୀଙ୍କ ଶୁଣାଣି ବେଳେ କୋର୍ଟରେ ବେହୋସ ହେଲେ ଜଷ୍ଟିସ୍, ନିଆଗଲା ଚାମ୍ବରକୁ

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୨: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ କୁମାର ଶର୍ମାର ପିଟିସନ ଶୁଣାଣି ବେଳେ ଶୁକ୍ରବାର ବିଚାରପତି ବେହୋସ ହୋଇପଡିଥିବା ଜଣାପଡିଛି। ଏଣୁ ତାଙ୍କୁ ତୁରନ୍ତ କୋର୍ଟରୁ ତାଙ୍କ ଚାମ୍ବରକୁ ନିଆଯାଇଥିବେଳେ ପୀଠ ଶୁଣାଣିକୁ ସ୍ଥଗିତ କରିଦେଇଛନ୍ତି। ମାମଲାର ଶୁଣାଣି ସୋମବାରକୁ ଧାର୍ଯ୍ୟ ହୋଇଛି।  

କୋର୍ଟରେ ମାମଲାର ନିଷ୍ପତ୍ତି ଲେଖାଯିବାର ଠିକ୍ ପୂର୍ବରୁ ଏହି ଘଟଣା ଘଟିଥିଲା। ବିଚାରପତି ଜଷ୍ଟିସ୍ ଆର.ଭାନୁମତି ଅଚାନକ କୋର୍ଟରେ ଅସୁସ୍ଥ ହୋଇପଡିବା ସହ ବେହୋସ ହୋଇପଡିଥିଲେ। କିଛି ସମୟ ପରେ ତାଙ୍କର ଚେତନା ଆସିଥିଲା। ତେବେ ସେତେବେଳେ ତାଙ୍କ ଦେହରେ ଜ୍ୱର ଥିବା ସହ ତାଙ୍କର ରକ୍ତଚାପ ଅଧିକ ଥିବାର ଜଣାପଡିଥିଲା। ଏଣୁ ପୀଠ ମାମଲାର ଶୁଣାଣିକୁ ସୋମବାରକୁ ପୁଣି ନିର୍ଦ୍ଧାରିତ କରିଛନ୍ତି।

ସେପଟେ ସୁପ୍ରିମକୋର୍ଟରେ ଶୁକ୍ରବାର ବିନୟର ପିଟିସନ ଖାରଜ ହୋଇଯାଇଥିବାର ଜଣାପଡିଛି। ଗୁରୁବାର ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ନିବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ବିନୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାର ମାନସିକ ପରିସ୍ଥିତି ଠିକ୍ ନଥିବାର କୋର୍ଟଙ୍କୁ ଜଣାଇଥିଲା। ତେବେ ଶୁକ୍ରବାର କୋର୍ଟରେ ତାର ସ୍ୱାସ୍ଥ୍ୟ ରିପୋର୍ଟ ଉପସ୍ଥାପିତ କରାଯାଇଥିବା ବେଳେ ସେ ସମ୍ପୂର୍ଣ୍ଣ ମାନସିକ ସୁସ୍ଥ ଥିବାର ରିପୋର୍ଟ ପ୍ରଦାନ କରାଯାଇଛି। ଏଥିରେ କୋର୍ଟ ତାର ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.