ଲାହୋର ୧୧।୭: ଜଷ୍ଟିସ୍ ଆଲିୟା ନିଲମ ଗୁରୁବାର ଲାହୋର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଖାସ କଥା ହେଉଛି ନିଲମ ପାକିସ୍ତାନର ପ୍ରଥମ ମହିଳା ଯିଏ କୌଣସି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦରେ ଅବସ୍ଥାପିତ ହୋଇଛନ୍ତି। ପଞ୍ଜାବ ରାଜ୍ୟପାଳ ସର୍ଦାର ସଲିମ ହୈଦର ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପଞ୍ଜାବର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ମରିୟମ ନବାଜ ମଧ୍ୟ ଉପସ୍ଥିତ ଥିଲେ।
ଜଷ୍ଟିସ୍ ନିଲମ (୫୭) ଲାହୋର ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ବରିଷ୍ଠତା କ୍ରମରେ ତୃତୀୟ ସ୍ଥାନରେ ଥିଲେ। ତେବେ ପାକିସ୍ତାନର ପ୍ରଧାନ ବିଚାରପତି କାଜି ଫୈଜ ଇସାଙ୍କ ଅଧ୍ୟକ୍ଷତାରେ ଗଠିତ ଜୁଡିସିଆଲ କମିସନ ଜଷ୍ଟିସ୍ ନିଲମଙ୍କୁ ଏହି ପଦ ନିମନ୍ତେ ନାମିତ କରିବାକୁ ନିଷ୍ପତ୍ତି କରିଥିଲେ। ନିଲମ ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପରେ ସୋସିଆଲ ମିଡିଆରେ କ୍ଷମତାସୀନ ସରିଫ ପରିବାର ସଦସ୍ୟଙ୍କ ସହିତ ଉଠା ଯାଇଥିବା ତାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।
ଜଷ୍ଟିସ୍ ନିଲମ ୧୯୯୫ ମସିହାରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରି ହାସଲ କରିଛନ୍ତି। ୧୯୯୬ ମସିହାରେ ଜଣେ ଓକିଲ ଭାବେ ତାଙ୍କର ପଞ୍ଜିକରଣ କରାଇଥିବା ବେଳେ ୨୦୦୮ ମସିହାରେ ଅଧିବକ୍ତା ଭାବେ ଉଚ୍ଚତମ ନ୍ୟାୟାଳୟରେ ତାଙ୍କର ପଞ୍ଜିକରଣ କରାଇଛନ୍ତି। ୨୦୧୩ ମସିହାରେ ଲାହୋର ହାଇକୋର୍ଟରେ ସେ ଅସ୍ଥାୟୀ ବିଚାରପତି ରୂପେ ଯୋଗ ଦେବା ପରେ ୧୬ ମାର୍ଚ୍ଚ ୨୦୧୫ରେ ତାଙ୍କୁ ପଦୋନ୍ନତୀ ଦିଆଯାଇ ସ୍ଥାୟୀ ବିଚାରପତି ନିଯୁକ୍ତ କରାଯାଇଥିଲା।