ଟିକେ ଥଣ୍ଡା ପଡ଼ିଲା ଦିଲ୍ଲୀ ହିଂସା, ଉଜୁଡ଼ିଗଲା ଅନେକ ପରିବାରର ଖୁସି ...

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ୨୮/୨: ଦିଲ୍ଲୀରେ ଦେଖାଦେଇଥିବା  ହିଂସା ଏବେ ଥମିଛି। କିଛି ଦିନ ଧରି ଲାଗି ରହିଥିବା ଭୟ ଆତଙ୍କର ମାହୋଲରେ ଏବେ ସୁଧାର ଆସୁଛି । ହିଂସା ପ୍ରଭାବିତ ଉତ୍ତରପୂର୍ବ ଦିଲ୍ଲୀରେ କିଛି ଅଞ୍ଚଳରେ ଆଜି ଦୋକାନବଜାର ଖୋଲିଛି । ଏପେଟ କାର୍ଯ୍ୟ ଅବଧି ଶେଷ ପରେ ବଦଳିଲେ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ।  ଏସ.ଏନ. ଶ୍ରୀବାସ୍ତବ ହେଲେ ଦିଲ୍ଲୀର ପରବର୍ତ୍ତୀ  ପୋଲିସ କମିଶନର।

ଦିଲ୍ଲୀ ଦଙ୍ଗା ପାଉଁଶ ଭିତରୁ କାରଣ ଖୋଜୁଛି ପୋଲିସ। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଅଧୀନରେ ଦୁଇଟି ଏସଆଇଟି ଟିମ୍‌ ମାରାଥନ ତଦନ୍ତରେ ଲାଗିଛନ୍ତି। ମୃତ୍ୟୁ ସଂଖ୍ୟା ୪୦ ଟପିଛି । ୨୦୦ରୁ ଅଧିକ ଆହତ ଏବେବି ଚିକିତ୍ସାଧୀନ ଅଛନ୍ତି।ଶୁକ୍ରବାରରେ  ସ୍ଥିତିରେ ସୁଧାର ଆସିଛି।  ହିଂସା ପ୍ରଭାବିତ ଉତ୍ତରପୂର୍ବ ଦିଲ୍ଲୀର କିଛି ଅଞ୍ଚଳରେ ଆଜି ଦୋକାନ ବଜାର ଖୋଲିଛି। ସାତ ହଜାର ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି। ମୌଜପୁର, ଜଫ୍ରାବାଦ ଓ ଗୋକୁଲପୁରୀ ଅଞ୍ଚଳ ଆଜି ବୁଲି ଦେଖିଛନ୍ତି ଦିଲ୍ଲୀ ଉପ ରାଜ୍ୟାପାଳ ଅନୀଲ ବୈଜଲ।

ଦଙ୍ଗା ରୋକିବାରେ ଦିଲ୍ଲୀ ପୋଲିସର ବିଫଳତାକୁ ନେଇ ସମାଲୋଚନା ପରେ ଆଜି ଦେଖିବାକୁ ମିଳିଛି ଚେଞ୍ଜ ଅଫ୍ ଗାର୍ଡ। ବର୍ତ୍ତମାନର କମିଶନର ଓଡ଼ିଆ ଆଇପିଏସ ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ଆଇପିଏସ୍  ଏସ୍.ଏନ୍. ଶ୍ରୀବାସ୍ତବ ହେବେ ଦିଲ୍ଲୀର ନୂଆ ପୋଲିସ କମିଶନର । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନୂଆ କମିଶନର ଶ୍ରୀବାସ୍ତବ।

ସବୁ ମାନବିକତାକୁ ଭୁଲି ହିଂସାରେ ମାତିଲେ ଦିଲ୍ଲୀ ବାସୀ । ପଡ଼ିଶାକୁ ପଡ଼ିଶା ଚିହ୍ନିଲାନି, ମଣିଷକୁ ମଣିଷ ଚିହ୍ନିଲାନି। କାହାର ବୃତ୍ତି ଉଜୁଡ଼ିଗଲା, କାହାର ପରିବାର। କିନ୍ତୁ ଦିଲ୍ଲୀର ଦିଲ ଛୋଟ ହୋଇନି।  ଏମିତି କିଛି ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଛି, ଯେଉଁମାନେ ମାନବିକତାର ବାର୍ତ୍ତା ନେଇ ଦୁଃଖ ବେଳେ ସାହା ହୋଇଛନ୍ତି। ଦଙ୍ଗାରେ ପ୍ରାଣ ହରାଇଥିବା ପରିବାରଲୋକଙ୍କ ନିକଟରେ ଛିଡା ହୋଇ ସମବେଦନା ଜଣାଇଛନ୍ତି। ହସ୍ପିଟାଲରେ ଚିକିତ୍ସିତ ଆହତଙ୍କ ସଂପର୍କିୟଙ୍କୁ ମାଗଣା ଖାଇବା ବାଣ୍ଟିଛନ୍ତି।

୧୯୮୪ ପରେ ଦିଲ୍ଲୀ ଦେଖିଲା ଏମିତ ନିର୍ଦ୍ଦୟ ଲୋକଙ୍କ ଚେହେରା।  ତଥାପିବି ବି ପୁଣି ଉଠିଛନ୍ତି ଦିଲ୍ଲୀବାସୀ। ଶହଶହ ବର୍ଷ ଧରି ବାରମ୍ବାର ହିଂସାର ନିଆଁ ଦିଲ୍ଲୀକୁ ଖିନଭିନ କରିଛି ତଥାପି ଦିଲ୍ଲୀ ପୁଣି ଉଠିଛି ଓ ମାନବିକତାର ବାର୍ତ୍ତା ସାରା ବିଶ୍ବକୁ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.