ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍, ହଜାର ଟଙ୍କା ଜରିମାନା

Published By : Prameya-News7 Bureau | July 26, 2023 IST

ବୌଦ୍ଧ ୨୬।୭: ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଜନୈକ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୩ ମାସ ଜେଲ୍ ଭୋଗିବାକୁ ପଡିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ଜଣଙ୍କ ହେଲେ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟ ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ ମସିହାରେ ବୌଦ୍ଧ ଜିଲ୍ଲା ଖୁଣ୍ଟୁବନ୍ଧ ପଞ୍ଚାୟତର ଜହ୍ନାପଙ୍କ ଠାରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଏକ ସୌର ପ୍ରକଳ୍ପ ସ୍ଥାପନ କରାଯାଇଥିଲା । ତତ୍କାଳୀନ ଖୁଣ୍ଟୁବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନ ଏହି ପ୍ରକଳ୍ପ ତଦାରଖ ଦାୟିତ୍ୱରେ ଥିଲେ । କାମ ସରିବା ପରେ ସେ ବିଲ୍ ପାଇଁ ଯନ୍ତ୍ରୀ ଭାବଗ୍ରାହୀଙ୍କୁ ଅନୁରୋଧ କରିଥିଲେ । ତେବେ ବିଲ୍ ଅନୁମୋଦନ ପାଇଁ ଯନ୍ତ୍ରୀ ୫୦ ହଜାର ଟଙ୍କା ଦାବି କରିଥିଲେ । ଫଳରେ ମିତ୍ରଭାନୁ ଏ ନେଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

୨୦୧୯ ଫେବୃଆରୀ ୪ ତାରିଖ ଦିନ ଯନ୍ତ୍ରୀ ସାମନ୍ତରାୟ ତାଙ୍କ କାର୍ଯ୍ୟାଳୟରେ ଏହି ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିବା ପରେ ଫୁଲବାଣୀ ଭିଜିଲାନ୍ସ ଅଦାଲତରେ ମାମଲାର ବିଚାର ହୋଇଥିଲା । ବୁଧବାର ଏହି ମାମଲାର ଶୁଣାଣି କରି ବିଚାରପତି ସମର ବିଳାସ ବେହେରା ୧୩ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ସାମନ୍ତରାୟ ଇତି ମଧ୍ୟରେ ସହକାରୀ ଯନ୍ତ୍ରୀ ହିସାବରେ ଚାକିରିରୁ ଅବସର ନେଇ ସାରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/police-officer-injured-and-hospitalized-in-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-officer-injured-and-hospitalized-in-koraput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.