ନନ୍ଦନକାନନରେ ଆରମ୍ଭ ହେଲା ଜଙ୍ଗଲ ସଫାରୀ, ପ୍ରଥମ ଦିନରେ ଗଡିଛି ୨ଟି ସଫାରୀ ବସ୍

Published By : Prameya-News7 Bureau | August 16, 2021 IST

ଭୁବନେଶ୍ବର ୧୬।୮: ଆରମ୍ଭ ହେଲା ଜଙ୍ଗଲ ସଫାରୀ । କୋଭିଡ୍ ଯୋଗୁଁ ଦୀର୍ଘ ଦେଢ ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିଲା ନନ୍ଦନକାନନ ଜଙ୍ଗଲ ସଫାରୀ । ସୋମବାର ଏହାକୁ ପୁଣି ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ। ପ୍ରଥମ ଦିନରେ ୨ଟି ସଫାରୀ ବସ୍ ଗଡିଛି । ପର୍ଯ୍ୟଟକ ମଧ୍ୟ ସଫାରୀ ବୁଲିବାର ମଜା ନେଇଛନ୍ତି ।

ଚିଡ଼ିଆଖାନାରେ ଜଙ୍ଗଲ ସଫାରୀର ଚାହିଦା ବେଶ ଅଧିକ । କିନ୍ତୁ ଦୀର୍ଘ ଦେଢ ବର୍ଷ କାଳ ନନ୍ଦନକାନନରେ ବନ୍ଦ ରହିଥିଲା ଜଙ୍ଗଲ ସଫାରୀ । ଯେଉଁଥିପାଇଁ ନିରାଶ ହୋଇ ଫେରୁଥିଲେ ପର୍ଯ୍ୟଟକ । ହେଲେ ଦେଢ଼ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ଜଙ୍ଗଲ ସଫାରୀ । କୋଭିଡ୍ ନିୟମାବଳୀକୁ ମାନି ଏହି ସୁବିଧା ପୁଣି ଆରମ୍ଭ କରାଯାଇଛି । ସୋମବାର ଏହା ଖୋଲିଥିବାରୁ କିଛି ପର୍ଯ୍ୟଟକ ମଧ୍ୟ ସଫାରୀ ବସରେ ବୁଲି ନନ୍ଦନକାନନରେ ୪ଟି ସଫାରୀ ବାଘ, ସିଂହ, ଭାଲୁ ଓ ହାରବିବୋରସ ସଫାରୀ ବୁଲିବାର ମଜା ନେଇଥିଲେ । ବସ୍ ବୁଲିଲାବେଳେ ପର୍ଯ୍ୟଟକମାନେ ବାଘ, ଭାଲୁ, ସିଂହ, ମୟୁର, ହରିଣ ବାରହା ପରି ପଶୁପକ୍ଷୀ ଦେଖିବାର ସୁଯୋଗ ପାଇଥିଲେ । କିଛି ଅଣ ଓଡ଼ିଶା ପର୍ଯ୍ୟଟକ ମଧ୍ୟ ସଫାରୀରେ ବୁଲିବା ପାଇଁ ଆସିଥିଲେ ।

ଚଳିତ ବର୍ଷ ରାଜ୍ୟ ସରକାରଙ୍କ  ନିଷ୍ପତ୍ତି ପରେ ନନ୍ଦନକାନନ ଖୋଲାଯାଇଛି । ଏକ ସପ୍ତାହ ହେଲାଣି ପର୍ଯ୍ୟଟକ ଏଠାରେ ଆସୁଛନ୍ତି ।  ପ୍ରତି ଦିନ ପାଖାପାଖି ୨ହଜାର ପର୍ଯ୍ୟଟଙ୍କ ସଂଖ୍ୟା ରହୁଛି । ତେବେ ଜଙ୍ଗଲ ସଫାରୀ ଆହୁରି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଏହି ସଫାରୀ ଚଳାଇବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ  ଆଉଟସୋର୍ସକୁ ଦାୟିତ୍ବ ଦେଇଛନ୍ତି ।

ତେବେ ସୋମବାର ପ୍ରଥମ ଥର ପାଇଁ ସଫାରୀ ବସଷ୍ଟାଣ୍ଡରୁ ଏହି ଦୁଇଟି ସଫାରୀ ବସ୍ ଆରମ୍ଭ ହୋଇଛି । ନନ୍ଦନକାନନ ଉପ ନିର୍ଦ୍ଦେଶକ ଏହାକୁ ଉଦଘାଟନ କରିଛନ୍ତି । ତେବେ ସଫାରୀରେ ଯିବା ପାଇଁ ସିଟ୍ ପିଛା ୬୦ ଟଙ୍କା ରଖାଯାଇଛି । ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆଗକୁ ଆହୁରି ୫ଟି ବସ୍ ଚଳାଚଳ ହେବ । ଚିଡ଼ିଆଖାନାରେ ଜଙ୍ଗଲ ସଫାରୀ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଥାଏ । ଏଠାରେ ପ୍ରାକୃତିକ ଭାବେ କେମିତି ପଶୁପକ୍ଷୀ ରୁହନ୍ତୁ ଏହା ଦେଖିପାରିବେ ପର୍ଯ୍ୟଟକ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।

ନନ୍ଦନକାନନରେ ୪ଟି ସଫାରୀ ଥିବାବେଳେ ଖୁବ୍ ଶୀଘ୍ର ହାତୀ ସଫାରୀ ମଧ୍ୟ ଆରମ୍ଭ ହେବ । ବର୍ତ୍ତମାନ ଏଠାରେ ହାତୀ ସଂଖ୍ୟା କମ୍ ରହିଛି । ତେବେ କପିଳାସରୁ ହାତୀ ଅଣାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ହାତୀ ଆସିବା ପରେ ଖୁବ୍ ଶୀଘ୍ର ଆରମ୍ଭ ହେବ ହାତୀ ସଫାରୀ । ହାତୀ ସଫାରୀ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.