ଡେରିରେ କେରଳ ଛୁଇଁବ ମୌସୁମୀ, ଜୁନ ପ୍ରଥମ ସପ୍ତାହରେ ଖରାରେ ଜଳିବ ଓଡିଶା

Published By : Prameya-News7 Bureau | May 27, 2022 IST

ଭୁବନେଶ୍ୱର ୨୭/୦୫: ଏ ବର୍ଷ ବିଳମ୍ବରେ ଆସିବ ମୌସୁମୀ । କେରଳ ଛୁଇଁବାକୁ ଡେରି ହେବ । ଜୁନ୍‌ ୧୦ ପୂର୍ବରୁ ମୌସୁମୀ ଓଡ଼ିଶା ମାଟି ବି ମାଡ଼ିବାର ସମ୍ଭାବନା କ୍ଷୀଣ । ପୂର୍ବରୁ ଆକଳନ କରାଯାଉଥିଲା, ଜୁନ୍‌ ପ୍ରଥମ ସପ୍ତାହରେ ହିଁ ମୌସୁମୀ ଓଡ଼ିଶା ଛୁଇଁପାରେ । ହେଲେ ମୌସୁମୀ ଯେମିତି ଧିମେଇ ଧିମେଇ ଆସୁଛି, ଜୁନ୍‌ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରାକ୍‌ ମୌସୁମୀ ସମ୍ଭାବନା ବି କମ୍‌ । ବରଂ ଜୁନ୍‌ ପ୍ରଥମ ସପ୍ତାହ ଓଡ଼ିଶାରେ ନିଆଁ ଢାଳିବ । ଡହଡହ ଖରାରେ ଜଳିବ ସାରା ରାଜ୍ୟ ।

ପାଣିପାଗ ବିଶେଷଜ୍ଞଙ୍କ ତାଜା ଆକଳନ ହେଲା, ଜୁନ୍‌ ପ୍ରଥମ ସପ୍ତାହରେ ତାତି ଚଳିତବର୍ଷର ରେକର୍ଡ ଭାଙ୍ଗିପାରେ । ୪୬-୪୭ ଡିଗ୍ରୀ ସେଲସିୟସ୍‌ ତାତିରେ ଭାଜି ହୋଇଯିବ ଓଡ଼ିଶା । ଆଭ୍ୟନ୍ତରୀଣ କି ଉପକୂଳ, ମିଳିବନି ନିସ୍ତାର । ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି କରିବ ଛଟପଟ । ପାଣିପାଗକୁ ନେଇ ଏମିତି ଚରମ ପୂର୍ବାନୁମାନ ଦେଖାଇଲାଣି ବିଶେଷଜ୍ଞ ।

ଏ ବର୍ଷ ମୌସୁମୀ କେରଳ ଛୁଇଁବା ନେଇ ଯେଉଁ ତାରିଖ (୨୭ ମେ’) ଆକଳନ କରାଯାଇଥିଲା । ହେଲେ ଏ ଅପେକ୍ଷା ଆଉ କିଛି ଦିନ ଲମ୍ବିପାରେ । ମୌସୁମୀ ଠିକଣା ସମୟରେ ଆସିଲେ ବି ଆରମ୍ଭରେ ଭଲ ବର୍ଷା ସମ୍ଭାବନା ନାହିଁ । ଆଗମୀ ଦୁଇ ସପ୍ତାହ ଭିତରେ କୌଣସି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା କ୍ଷୀଣ । ତେଣୁ ମୌସୁମୀ ବିଶେଷ ସକ୍ରିୟ ହୋଇନପାରେ । ସେତିକି ନୁହେଁ, ଜୁନ୍‌ ୧୦ ପୂର୍ବରୁ ମୌସୁମୀ ଓଡ଼ିଶା ମାଟି ମାଡ଼ିବାର ନାହିଁ । ଏମିତିକି ଏ ତାରିଖ ଆହୁରି ଘୁଞ୍ଚିପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି, ଆସନ୍ତା ୪୮ ଘଣ୍ଟା ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦକ୍ଷିଣ ଆରବ ସାଗର, ସମ୍ପୂର୍ଣ୍ଣ ମାଲଦ୍ୱୀପ ଓ ଲାକ୍ଷାଦ୍ୱୀପର କିଛି ଅଂଶକୁ ଛୁଇଁବ । ଏଇ ସପ୍ତାହରେ ମୌସୁମୀ କେରଳ ପ୍ରବେଶ କରିବ । ମାତ୍ର କେବେ ଛୁଇଁବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ଉତ୍ତର-ପଶ୍ଚିମରୁ ତତଲା ପବନ ପ୍ରବାହ କାରଣରୁ ୨୯ ତାରିଖରୁ ତାତି ବଢ଼ିବ ରାଜ୍ୟରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଖରା ହେବ । କେତେକ ଜାଗାରେ ତାତି ୪୪ରୁ ୪୭ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ଉପକୂଳରେ ବି ତ୍ରାହି ମିଳିବନି । ଏମିତିକି ଉପକୂଳ ତାତି ବି ଆଭ୍ୟନ୍ତରୀଣ ଅଞ୍ଚଳ ସହ ସମାନ ହୋଇପାରେ ।ଗୁ ଳୁଗୁଳି ବଢ଼ିବ । ଓଡ଼ିଶାରେ ଜୁନ୍‌ ୧୦ ଆଗରୁ ମୌସୁମୀ ପ୍ରବେଶ କରିନପାରେ । 

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ତାତି ବୃଦ୍ଧି ନେଇ ପୂର୍ବାନୁମାନ କରିଛନ୍ତି । ତାଙ୍କ ଆକଳନ ହେଲା, ଆସନ୍ତା ୩୧ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବା ସହ ତାପମାତ୍ରା ବିଶେଷ ବଦଳିନି । ଜୁନ୍‌ ପହିଲା ପରେ ରାଜ୍ୟ ତମାମ ଗରମ ବଢ଼ିବ । ମୌସୁମୀ ବର୍ଷା ନ ହେବା ପର୍ଯ୍ୟନ୍ତ ଜାରି ରହିବ ଗରମ । ଜୁନ୍‌ ୩ ଓ ୪ ତାରିଖବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ବା ତା’ଠାରୁ ଅଧିକ ରହିପାରେ । ଏପରିକି ଭୁବନେଶ୍ୱରରେ ପାରଦ ବି ୪୪ ଛୁଇଁପାରେ । ଗୁଳୁଗୁଳି ବି ଅଧିକ ରହିବ । ଗ୍ରୀଷ୍ମ ପ୍ରବାହ ଛଟପଟ କରିପାରେ ।

କେରଳରେ ଗତ କିଛିଦିନ ହେଲା ସ୍ୱଳ୍ପ ବର୍ଷା ହେଉଛି । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ତିରୁବନ୍ତପୁରମ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା କମିବ । ବର୍ତ୍ତମାନ କେରଳ ଉପକୂଳରେ ସମୁଦ୍ର କଡ଼େକଡ଼େ ଅଧିକ ବର୍ଷା ହେଉଛି । ସ୍ଥଳଭାଗକୁ ମୌସୁମୀ ଆସିପାରୁନି । ସାମୟିକ ଭାବେ ମେ’ ୩୧ ଓ ଜୁନ୍‌ ୧ରେ ଉପକୂଳରେ କିଛି ବର୍ଷା ବଢିବ । ତା’ପରେ ପୁଣି କମିଯିବ, ଦୁର୍ବଳ ରହିବ । ଜୁନ୍‌ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ମୌସୁମୀ ପ୍ରବଳ ବର୍ଷିବା ସମ୍ଭାବନା ନାହିଁ । ଓଡ଼ିଶାକୁ ଜୁନ୍‌ ୧୦ ଆଗରୁ ମୌସୁମୀ ଆସିବା ସମ୍ଭାବନା କମ୍‌ । ହୁଏତ ଆହୁରି ବିଳମ୍ବ ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.