ଜଳୁଥିଲା ଜୁଇ, ଉଠି ଆସିଲା ଶବ, ତା'ପରେ...

Published By : Prameya-News7 Bureau | June 06, 2021 IST

ସୁକିନ୍ଦା, ୦୬/୦୬: ଖଇ କଉଡ଼ି ବିଞ୍ଚି ବିଞ୍ଚି ଶବକୁ କୋକେଇରେ ମଶାଣି ନିଆଗଲା। ସେଠାରେ କାଠ ଖଞ୍ଜା ହେଲା। କାନ୍ଦ ବୋବାଳି ମଧ୍ୟରେ ଶବକୁ ଜୁଇରେ ଶୁଆଇ ଦେଇ ଅଗ୍ନି ସଂଯୋଗ କରାଗଲା । ଏହି ସମୟରେ ଯାହା ଘଟିଲା ତାହା ସମସ୍ତଙ୍କ ଛାତି ଥରାଇ ଦେଲା। କାଠ ନିଆଁ ଧରୁ ଧରୁ ହଠାତ୍‌ ଶବ ଜୁଇରୁ ଉଠି ବସିଲା । ଆତ୍ମୀୟ ସ୍ୱଜନ ତାଙ୍କୁ ଜୁଇରୁ ଓହ୍ଲାଇ ଆଣିବା ପରେ ପୁଣି ସେ ଅଚେତ୍‌ ହୋଇ ପଡ଼ିଥିଲେ। ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପୁଣି ଥରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ବେଳେବେଳେ ଏପରି ହୁଏ ବୋଲି ଡାକ୍ତର କହୁଥିବା ବେଳେ ଏହି ଘଟଣା ଆଜି ସମଗ୍ର ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ବସିଆ ପ୍ରଧାନଙ୍କ ପୁଅ ନୀଳମଣି ପ୍ରଧାନ(୪୬) ଶନିବାର ସକାଳେ ପ୍ରଚୁର ମଦ୍ୟ ପାନ କରିଥିଲେ। ଏହାପରେ ସେ ସାହିରେ ଜନୈକ ବ୍ୟକ୍ତିଙ୍କ ପିଣ୍ଡାରେ ଶୋଇଥିଲେ। ଅପରାହ୍ଣ ପ୍ରାୟ ୩ଟା ସମୟରେ ନୀଳମଣି କୌଣସି କାରଣରୁ ଗୁରୁତର ହୋଇ ପଡ଼ି ଏକ ପ୍ରକାର ଶବ୍ଦ କରୁଥିବା ନିକଟରେ ଯାଉଥିବା ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ପରିବାର ଲୋକଙ୍କ ମନ ମାନିନଥିଲା। ସେମାନେ ନୀଳମଣିଙ୍କୁ ଟାଟା ମେଡିକା ନେବା ପାଇଁ କହି ସେଠାରୁ ନେଇ ଆସିଥିଲେ।

ପରେ କିନ୍ତୁ ତାଙ୍କୁ ଟାଟା ମେଡିକା ନନେଇ ବଙ୍ଗଳା ଛକ ରାସ୍ତାରେ ନିଜ ଗାଁକୁ ନେଇ ଯାଇଥିଲେ। ଗ୍ରାମ ଶ୍ମଶାନରେ ଶବ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଇଲେ । ଶବକୁ ଜୁଇରେ ଶୁଆଇ ଦେଇ ଅଗ୍ନି ସଂଯୋଗ କରିବାର ମାତ୍ର କିଛି ସମୟ ମଧ୍ୟ ନୀଳମଣି ଉଠି ବସିଥିଲେ । ଏହାପରେ ନୀଳମଣିଙ୍କୁ ଜୁଇରୁ ଓହ୍ଲାଇ ଆଣିଲେ । ଏହି ସମୟରେ ନୀଳମଣି ପୁଣି ଅଚେତ୍‌ ହୋଇ ପଡ଼ିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପୁନର୍ବାର ମୃତ ଘୋଷଣା କରିଥିଲେ।

ଏହାପରେ ପରିବାର ଲୋକେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ନୀଳମଣିଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିବା ପରେ ପରିବାର ଲୋକେ ବିଶ୍ୱାସ କରିଥିଲେ । ଶବକୁ ଶନିବାର ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ବ୍ୟବଚ୍ଛେଦ ପରେ ରବିବାର ଶବ ସତ୍କାର କରାଯିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.