ଜଜଙ୍କ ହତ୍ୟାକାରୀକୁ ଖୋଜିବାକୁ ଲାଗିଛି ଏସଆଇଟିର ୧୧ ଟିମ୍, ସବୁ ଦିଗରୁ ଯାଞ୍ଚ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | July 31, 2021 IST

ନୂଆଦିଲ୍ଲୀ, ୩୧/୦୭ :   ଜଜ୍ ଉତ୍ତର ଆନନ୍ଦଙ୍କ ମୃତ୍ୟୁ ମାମଲାର ରହସ୍ୟ ଫିଟୁନି ।  ହତ୍ୟାକାଣ୍ଡର ଖିଅ ଖୋଜିବାକୁ ଏସଆଇଟି ଶୁକ୍ରବାର ମାରାଥନ ବୈଠକ କରିଛି । ପୋଲିସ ଏଡିଜି ସଂଜୟ ଆନନ୍ଦ ଲଟକାରଙ୍କ ଟିମ୍ ଏସଏସପି ଅଫିସରେ ସକାଳ ୧୦ଟାରୁ ରାତି ୮ଟା ଯାଏଁ ଲଗାତର ଭାବେ ବୈଠକ କରିଥିଲା ।

ଏହାସହ ଅଟୋ ଚାଳକ ଲଖନ ବର୍ମା ଓ ରାହୁଲ ବର୍ମାଙ୍କୁ ଅଲଗା ଅଲଗା ଭାବେ ଜାରା କରାଯାଇଛି । କୁହାଯାଉଛି ଯେ, ଏବେସୁଦ୍ଧା ଏସଆଇଟିକୁ କୌଣସି ନୂଆ ଖିଅ ମିଳୁନାହିଁ । ଏସଆଇଟି ସିଆଇଡି ଫରେନ୍ସିକ୍ ଟିମ୍ ସହ ମଧ୍ୟ ବୈଠକ କରିଥିଲା । ସୁପ୍ରିମକୋର୍ଟ ମଧ୍ୟ ସବୁ ଦିଗରୁ ତଦନ୍ତ ପାଇଁ ନିକଟରେ ନିର୍ଦ୍ଦେଶ ଦେଇଥିଲେ ।

ଘଟଣାସ୍ଥଳ ଓ ଅଟୋରୁ ମିଳିଥିବା କିଛି ସୁରାକ ଆଧାରରେ ଏସଆଇଟି ସମୀକ୍ଷା କରୁଛି । ଏହାସହ ବିଭିନ୍ନ ମୋବାଇଲ କଲକୁ ମଧ୍ୟ ଯାଞ୍ଚ କରାଯାଉଛି । ଗିରଫ ଅଭିଯୁକ୍ତମାନେ କାହା କାହା ସହ କଥା ହୋଇଥିଲେ ସେମାନଙ୍କୁ ଡାକି ମଧ୍ୟ ପୋଲିସ ପଚରାଉଚରା କରୁଛି । ଏହାସହ ଅଟୋ ପଛରେ ଥିବା କିଛି ବାଇକ ଚାଳକଙ୍କୁ ସିସିଟିଭି ଆଧାରରେ ପୋଲିସ ଚିହ୍ନଟ ମଧ୍ୟ କରିଛି ।

ସବୁଠାରୁ ବଡ କଥା ହେଲା ଯେ, ଅଟୋ ଡ୍ରାଇଭର କିଛି ଯାତ୍ରୀଙ୍କୁ ଆମାଘାଟା ନିକଟରେ ଓହ୍ଲାଇ ଦେଇଥିଲେ । ଏହି ସବୁ ଯାତ୍ରୀଙ୍କୁ ଜେରା କରାଯାଇଛି । ସେହିପରି ପୋଷ୍ଟମଟର୍ମ ରିପୋର୍ଟର ମଧ୍ୟ ତର୍ଜମା ହେଉଛି । ତେବେ ସବୁ ରିପୋର୍ଟକୁ ଏସଆଇଟି ୭ ଦିନ ମଧ୍ୟରେ କୋର୍ଟଙ୍କୁ ପ୍ରଦାନ କରିବ ।

ଏହି ଘଟଣାକୁ ନେଇ ଏଡିଜି କହିଛନ୍ତି ଯେ, ସବୁ ଦିଗରୁ ତଦନ୍ତ ଚାଲିଛି । ୧୧ଟି ଟିମ୍ ଗଠନ କରାଯାଇଛି । ସାକ୍ଷୀଙ୍କୁ ପଚରାଉଚରା କରାଯାଉଛି । ଏହାସହ ଅତିଶୀଘ୍ର ଟିମ୍ ନିଷ୍କର୍ସରେ ପହଁଚିବ । ଶନିବାର ସବୁ ଟିମ୍ ସହ ଏଡିଜି ବୈଠକ କରିବେ ।ସବୁ ଟିମକୁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି । ଅଟୋ ମାଲିକଙ୍କ ରେକର୍ଡ ଯାଞ୍ଚ୍ ହେଉଛି । ଏହାସହ ଅତିଶୀଘ୍ର ଦୋଷୀ ଦଣ୍ଡ ପାଇବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.