ଫାଣ୍ଡିରୁ ୫୦୦ ମିଟର ଦୂରରେ ହତ୍ୟାକାଣ୍ଡ, ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ପଥରରେ ଛେଚି ମାରିଦେଲେ...

Published By : Prameya-News7 Bureau | August 15, 2021 IST

କୁକୁଡାଖଣ୍ଡି,୧୫/୦୮: ପୁଣି ଅଶାନ୍ତ ବ୍ରହ୍ମପୁର ସଦର ଥାନା ଅଞ୍ଚଳ । ନିମଖଣ୍ଡି ଫାଣ୍ଡିରୁ ମାତ୍ର ଅଧ କିମି ଦୂରରେ ଜଣେ ଯୁବକଙ୍କୁ ଶନିବାର ସନ୍ଧ୍ୟାରେ ନିଜ ଘର ସମ୍ମୁଖରେ ଖଣ୍ଡାରେ ହାଣିବା ସହ ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ନିମଖଣ୍ଡିର ଗୋପାଳକୃଷ୍ଣ ସାହୁ (୩୩) ।

ଗୋପାଳ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରିଥିଲେ । ଘର ଆଗରେ ବାଇକ୍‌ ରଖୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ତିନି ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି ଗୋପାଳଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିବା ସହ ପଥର ଛେଚି ହତ୍ୟା କରିଥିଲେ । ଆକ୍ରମଣକାରୀମାନେ ବାଇକ୍‌ରେ ହିଁ ଜଗଦଳପୁର ପଟେ ଚମ୍ପଟ ମାରିଥିଲେ ।

ଗୁରୁତର ଗୋପାଳ କିଛି ସମୟ ଛଟପଟ ହୋଇ ତଳେ ପଡ଼ି ରହିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଗୋପାଳକୃଷ୍ଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ବର୍ଷକ ପୂର୍ବରୁ ମଧ୍ୟ ତାଙ୍କ ଭାଇ ଗୋବିନ୍ଦ ସାହୁଙ୍କୁ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିଲା । ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ସଦଳବଳେ ପହଞ୍ଚି ତଦନ୍ତ କରିଥିବା ବେଳେ ଶୀଘ୍ର ଆକ୍ରମଣକାରୀଙ୍କୁ ଧରାଯିବ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.