ପଟିଆ ଛକରେ ଅପହରଣ ପରେ ବାଣୀବିହାରରେ ଆକ୍ରମଣ, ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
10/02/2023 at 8:09 AM

ବାରଙ୍ଗ ୧୦/୦୨: ପଟିଆ ଛକରୁ ଅପହରଣ, ବାଣୀବିହାର ଛକରେ ଆକ୍ରମଣ ଆଉ ଶେଷରେ ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ଗାଡ଼କଣର ବିଚିତ୍ର ପଲେଇ । ଗାଡ଼କଣ ଗାଁର ବିଚିତ୍ର ପଲେଇଙ୍କୁ ମଞ୍ଜୁଲତା ବେହେରା ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ମିଶି ଜୋର୍ ଜବରଦସ୍ତି ଏକ ଗାଡ଼ିରେ ପଟିଆ ଅଞ୍ଚଳରୁ ଅପହରଣ କରି ନେଇଥିଲେ ।
ବାଣୀବିହାର ଛକରେ କୌଶଳକ୍ରମେ ଗାଡ଼ିରୁ ଖସି ଆସି ଦୌଡ଼ିବାକୁ ଲାଗିଲେ ବିଚିତ୍ର । ତେବେ ବାଣୀବିହାରର କିଛି ଯୁବକ ଏସବୁ ଘଟଣା ଦେଖି ବିଚିତ୍ରଙ୍କୁ ଉଦ୍ଧାର କରି ସହିଦ ନଗର ଥାନାକୁ ଆଣିଥିଲେ । ତେବେ ଭାଇଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ହଠାତ୍ ତଳେ ପଡି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା । ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସ୍ ସୂଚନା ମୁତାବକ ବିଚିତ୍ର ପଲେଇ ବର୍ଷକ ତଳେ ନେତ୍ରମଣି ବେହେରା, ମଞ୍ଜୁଲତା ବେହେରାଙ୍କ ଠାରୁ ହାତ ଉଧାରି ବାବଦକୁ ନେଇଥିଲେ ୩ଲକ୍ଷ ଟଙ୍କା। ବକେୟା ଟଙ୍କା ମାଗିବାରୁ ଧରାଛୁଆଁ ନଦେବା ସହ ଆଜି କାଲି କହି ଦିନ ଗଡେଇବା ଓ ଚେକ୍ ବାଉଁନସ୍ କରିଥିଲେ ବିଚିତ୍ର ପଲେଇ। ଏବେ ବିଚିତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ନ୍ୟାୟ ଅପେକ୍ଷାରେ । ଏପଟେ ମାମଲାରେ ତିନିଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ସହିଦ ନଗର ଥାନା ପୋଲିସ ।