ଜେଏସପିଏଲ କମ୍ପାନୀ ସ୍ଲରୀ ପାଇପ ଲାଇନ କାମକୁ ବିରୋଧ; ପକଲେନ,ଡିଜି,କମ୍ପ୍ରେସର ମେସିନକୁ ଜାଳିଦେଲେ ଟ୍ରକ ମାଲିକ

Published By : Prameya-News7 Bureau | September 02, 2022 IST

ବାଂଶପାଳ ୦୨/୦୯: ଜେଏସପିଏଲର ପାଇପ ଯୋଗେ ଲୁହା ପଥର ପରିବହନ କରିବା ପାଇଁ ସ୍ଲରୀ ପାଇପ ଲାଇନ ବିଛାଇବା କାମକୁ ବିରୋଧ। ଏହାକୁ ବିରୋଧ କରି ଶୁକ୍ରବାର କେନ୍ଦୁଝର ଜିଲ୍ଲା ଟ୍ରକ ଓନର ଆସୋସିଏସନର କର୍ମକର୍ତ୍ତାମାନେ କାଦକଳାରେ ଠିକା କମ୍ପାନୀର ୩ଟି ପକଲେନ ମେସିନ, ଏକ ଡିଜି, କମ୍ପ୍ରେସର ମେସିନକୁ ନିଆଁ ଲଗାଇ ଦେଇଛନ୍ତି। ଏହା ସହିତ ବହୁ ଗାଡ଼ିକୁ ଭାଙ୍ଗିରୁଜି ଦେଇଛନ୍ତି। ଜେଏସପିଏଲର ବଡ଼ବିଲ ଠାରୁ ଅନୁଗୁଳକୁ ଯାଉଥିବା ଏହି ସ୍ଲରି ପାଇପ ଲାଇନ କାମକୁ ଠିକାରେ ନେଇ କାମ କରୁଥିବା ୨ଟି ଠିକା କମ୍ପାନୀର ବହୁ ଗାଡ଼ି ମୋଟର ନଷ୍ଟ ହୋଇଥିବା ଜଣାପଡିଛି।

ଖବର ଅନୁସାରେ, ବାଂଶପାଳ ବ୍ଲକର କାଦକଳା ଅଞ୍ଚଳରେ ଜେଏସପିଏଲର ସ୍ଲରୀ ପାଇପ ଲାଇନ କାର୍ଯ୍ୟ ଚାଲୁଛି। ଏହି କାମକୁ ଟ୍ରକ ମାଲିକମାନେ ବିରୋଧ କରୁଛନ୍ତି। ପାଇପ ଲାଇନ ଦ୍ୱାରା  ଲୁହାପଥର ପରିବହନ ହେଲେ ଟ୍ରକ ବ୍ୟବସାୟ ବନ୍ଦ ହୋଇଯିବ। କମ୍ପାନୀର ପାଇପ ଲାଇନ କାମ ବନ୍ଦ କରି ଟ୍ରକରେ ଲୁହାପଥର ପରିବହନ କରାଯାଉ ବୋଲି କିଛି ଦିନ ତଳେ କାମ ଚାଲୁଥିବା ଜାଗାରେ ଟ୍ରକ ମାଲିକମାନେ ଦାବି କରିଥିଲେ। ଏହା ସହିତ ସେମାନେ ନାରାବାଜି କରିଥିଲେ।

ତେବେ ପାଇପ ଲାଇନ କାମ କରୁଥିବା ୨ଟି ଠିକା କମ୍ପାନୀର କାମ ଆଜି ବନ୍ଦ ଥିଲା। ଫଳରେ କେନ୍ଦୁଝର ଜିଲ୍ଲା ଟ୍ରକ ଓନର ଆସୋସିଏସନର ୫୦ରୁ ଅଧିକ କର୍ମକର୍ତ୍ତା ଆସି ୩ଟି ପକଲେନ ମେସିନକୁ ନିଆଁ ଲଗାଇ ଜାଳିଦେଇଛନ୍ତି। ଏହା ସହିତ ଗୋଟିଏ ଡିଜି ଓ କମ୍ପ୍ରେସର ମେସିନକୁ ଗ୍ୟାସ ସିଲିଣ୍ଡର ଲଗାଇ ବ୍ଲାଷ୍ଟ କରିଦେଇଛନ୍ତି। ସେମାନେ ବହୁ ଗାଡ଼ି ମଧ୍ୟ ଭାଙ୍ଗି ରୁଜି ଦେଇଥିବା ଜଣା ପଡ଼ିଛି। ଖବରପାଇ ଘଟଣାସ୍ଥଳରେ ସଦର ଏସଡିପିଓ ପ୍ରକାଶ ଜେମ୍ସ ଟପୋ, ନୟାକୋଟ ଥାନା ଆଇଆଇସି ସ୍ୱର୍ଣ୍ଣମୟୀ ହେମ୍ବ୍ରମ, ପୋଲିସ ଟିମ ସହିତ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଏହି ଘଟଣା ପରେ ପାଇପଲାଇନ କାମ କରୁଥିବା ଅଣ ଓଡିଆ ଠିକା କମ୍ପାନୀର କର୍ମଚାରୀମାନେ ଭୟରେ କ୍ୟାମ୍ପ ଛାଡି ଅନ୍ୟଆଡ଼େ ପଳାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.