ରାଜ୍ୟସଭାରେ ଗୃହର ନେତା ହୋଇପାରନ୍ତି ଜେପି ନଡ୍ଡା, ଅଧ୍ୟକ୍ଷ କାର୍ଯ୍ୟକାଳରେ ବି ମିଳିପାରେ ବିସ୍ତାର

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନୂଆ ସରକାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ । ସୂଚନା ଅନୁସାରେ ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହର ନେତା କରାଯାଇପାରେ । ବର୍ତ୍ତମାନ ସମୟରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଅଛନ୍ତି । ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ଚଳିତ ଜୁନ୍ ମାସରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ତାଙ୍କର କାର୍ଯ୍ୟକାଳ ଗତବର୍ଷ ଡିସେମ୍ୱରରେ ଶେଷ ହୋଇଥାନ୍ତା, କିନ୍ତୁ ଲୋକସଭା ନିର୍ବାଚନ ପାଇଁ ତାଙ୍କ କାର୍ଯ୍ୟକାଳକୁ ଜୁନ୍ ୩୦ ଯାଏ ବଢା ଯାଇଥିଲା ।

ରାଜ୍ୟସଭାରେ ଗୃହର ନେତା ଥିବା ପୀୟୁଷ ଗୋୟଲ ଉତ୍ତର ମୁମ୍ୱାଇରୁ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହେବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ଏପରିସ୍ଥଳେ ବରିଷ୍ଠତା ଏବଂ ଅନୁଭବକୁ ଦେଖିଲେ ଜେପି ନଡ୍ଡାଙ୍କୁ ଏହି ପଦ ଦିଆଯାଇପାରେ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସଭାରେ ଗୃହର ନେତା ସବୁଠୁ ବଡ଼ ସଂସଦୀୟ ଦଳର ନେତା ହୋଇଥାନ୍ତି ।

ସେପଟେ ଚର୍ଚ୍ଚା ଏହା ମଧ୍ୟ ଯେ ଜେପି ନଡ୍ଡାଙ୍କୁ ଆଉ କିଛି ଦିନ ପାଇଁ ଅଧ୍ୟକ୍ଷ ପଦର ବିସ୍ତାର ମିଳିପାରେ । ଏହା ପଛର କାରଣ ଅକ୍ଟୋବରରେ ମହାରାଷ୍ଟ୍ର ଏବଂ ହରିୟାଣାରେ ନିର୍ବାଚନ ହେବ । ପରେ ନୂଆ ବର୍ଷରେ ଝାଡ଼ଖଣ୍ଡ ଏବଂ ଦିଲ୍ଲୀରେ ନିର୍ବାଚନ ହେବ । ଏହା ବ୍ୟତୀତ ଜାମ୍ମୁ କାଶ୍ମୀରରେ ମଧ୍ୟ ଆଗାମୀ କିଛି ମାସରେ ନିର୍ବାଚନ ହୋଇପାରେ । ତେବେ ଆଉ ଏକ ଚର୍ଚ୍ଚା ହେଉଛି ଯେ ଜେପି ନଡ୍ଡାଙ୍କ ସହଯୋଗ ପାଇଁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.