କୋଠାରୁ ପଡି ସାମ୍ବାଦିକ ଉମେଶ ଉପାଧ୍ୟାୟଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ କହିଲେ- ସାମ୍ବାଦିକତା ଜଗତର ଅପୂରଣୀୟ କ୍ଷତି

Published By : Prameya-News7 Bureau | September 02, 2024 IST

ନୂଆଦିଲ୍ଲୀ : ବରିଷ୍ଠ ସାମ୍ବାଦିକ ତଥା ମିଡିଆ ଏକଜ୍ୟୁକୁଟିଭ ଉମେଶ ଉପାଧ୍ୟାୟଙ୍କର ରବିବାର ନୂଆ ଦିଲ୍ଲୀରେ ପରଲୋକ ହୋଇଛି। ଦିଲ୍ଲୀ ପୋଲିସ ଅନୁସାରେ ୬୪ ବର୍ଷ ବୟଷ୍କ ଉପାଧ୍ୟାୟ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ବସନ୍ତ କୁଞ୍ଜସ୍ଥିତ ତାଙ୍କ ଘରର ପୁନନିର୍ମାଣ କାମ ତଦାରଖ କରୁଥିବା ବେଳେ ଚତୁର୍ଥ ମହଲାରୁ ଦ୍ୱିତୀୟ ମହଲାକୁ ଖସିପଡି ଗୁରୁତର ଆହତ ହୋଇଥିଲେ। ଦିଲ୍ଲୀ ପୋଲିସର ଜନୈକ ଅଧିକାରୀ କହିଛନ୍ତି ଯେ ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ଉପାଧ୍ୟାୟ ତାଙ୍କ ବିଲ୍ଡିଂର ନବିକରଣ କାର୍ଯ୍ୟ ତଦାରଖ କରୁଥିବା ବେଳେ ଦୁର୍ଘଟଣା ବସତଃ ଖସିପଡିଥିଲେ। 

ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଭାରତୀୟ ସ୍ପାଇନଲ ସେଣ୍ଟର ପହଞ୍ଚା ଯାଇଥିଲା। ତେବେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମିଡିଆ କ୍ଷେତ୍ରରେ ଉପାଧ୍ୟାୟ ଜଣେ ଅନୁଭବୀ ସାମ୍ବାଦିକ ଥିଲେ। ସେ ପ୍ରଥମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ମିଡିଆ ଅଧ୍ୟକ୍ଷ ତଥା ନିର୍ଦ୍ଦେଶକ ଭାବେ କାମ କରିଥିଲେ। ସେ ନେଟୱାର୍କ ୧୮ରେ ସମାଚାର ଅଧ୍ୟକ୍ଷ ମଧ୍ୟ ଥିଲେ। ଏହା ଛଡା ସେ ଜି ନ୍ୟୁଜ୍, ଜନମତ ଟିଭି, ଦୂରଦର୍ଶନ, ପିଟିଆଇ ଓ ସବ ଟିଭିରେ କାମ କରିଛନ୍ତି। 


ଉପାଧ୍ୟାୟଙ୍କ ଅନ୍ତ୍ୟେଷ୍ଟି ୨ ସେପ୍ଟେମ୍ବର ସୋମବାର ଦିଲ୍ଲୀର ନିଗମବୋଧ ଘାଟରେ ଅନୁଷ୍ଠିତ ହୋଇଛି। ଏହି ଦୁଃଖଦ ଖବରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକଟ କରିଛନ୍ତି। ସେ ତାଙ୍କ ଏକ୍ସ (ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ବରିଷ୍ଠ ସାମ୍ବାଦିକ ତଥା ଲେଖକ ଉମେଶ ଉପାଧ୍ୟାୟଙ୍କ ନିଧନରେ ଗଭୀର ଦୁଃଖ ହୋଇଥିବା ଉଲ୍ଲେଖ କରିଛନ୍ତି। ସେ ଡିଜିଟାଲ ମିଡିଆ ଓ ଟେଲିଭିଜନ କ୍ଷେତ୍ରରେ ବହୁମୂଲ୍ୟ ଯୋଗଦାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ପରଲୋକ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି। ମୁଁ ଦୁଃଖର ଏହି କ୍ଷଣରେ ତାଙ୍କ ପରିବାର ପ୍ରତି ମୋର ସମ୍ବେଦନା ବ୍ୟକ୍ତ କରୁଛି। 


ଉପାଧ୍ୟାୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଉପାଧି ହାସଲ କରିବା ପରେ ଅନ୍ତର୍ଜାତୀୟ ଅଧ୍ୟୟନରେ ସ୍ନାତକୋତ୍ତର ଓ ଏମଫିଲ କରିବା ପାଇଁ ଜେଏନୟୁରେ ଯୋଗ ଦେଇଥିଲେ। ସେ ପୁଣେସ୍ଥିତ ଭାରତୀୟ ଫିଲ୍ମ ଆଣ୍ଡ ଟେଲିଭିଜନ ସଂସ୍ଥାରୁ ମଧ୍ୟ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ। ଉପାଧ୍ୟାୟ କୁଆଲାଲମ୍ପୁରସ୍ଥିତ ଏସିୟାନ ଇଂଷ୍ଟିଚ୍ୟୁଟ ଅଫ ବ୍ରଡକାଷ୍ଟିଂ ଡେଭଲପମେଣ୍ଟ ଓ ଥେମସ୍ ଷ୍ଟୁଡିଓ ୟୁକେରୁ ଶିକ୍ଷା ପ୍ରାପ୍ତ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଲେକଚର ରୂପେ କ୍ୟାରିୟର ଆରମ୍ଭ କରିଥିଲେ। ଅଲ ଇଣ୍ଡିଆ ରେଡିଓ କମେଣ୍ଟେଟର ଓ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ସେ ସଦସ୍ୟ ମଧ୍ୟ ଥିଲେ। ‘ନ୍ୟୁଜେ’ ସଂସ୍ଥାପକ ସଲଭ ଉପାଧ୍ୟାୟଙ୍କର ସେ ପିତା ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.