ମିଳିଲା ବେଲ୍, ଦୁଇ ବର୍ଷ ପରେ ଜେଲ୍ରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦିକି କପ୍ପାନ: ବିରୋଧରେ ଲାଗିଥିଲା ସାଂଘାତିକ ଅଭିଯୋଗ
23/12/2022 at 6:39 PM

ଚେନ୍ନାଇ: ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ବା ଆର୍ଥିକ ହେର୍ଫେର୍ ନିରୋଧ ଆଇନ (PMLA) ଆକ୍ଟରେ ଗିରଫ ହୋଇଥିବା କେରଳ ସାମ୍ବାଦିକ ସିଦ୍ଦିକି କପ୍ପାନଙ୍କୁ ଶୁକ୍ରବାର ବେଲ୍ ମିଳିଛି।
୬ ଅକ୍ଟୋବର ୨୦୨୦ରେ କପ୍ପାନଙ୍କୁ PMLA ଆଇନ୍ରେ ଗିରଫ କରିଥିଲା ଇଡି। ବେଆଇନ ଭାବେ ବିଦେଶରୁ ଟଙ୍କା ଆଣି ଦେଶର ସ୍ୱାର୍ଥ ବିରୋଧୀ କାର୍ଯ୍ୟ ଲଗାଉଥିଲେ ବୋଲି ଅଭିଯୋଗ ହୋଇଛି। କପ୍ପାନଙ୍କ ସହିତ ଅନ୍ୟ ୩ ଜଣ-ଅଥିକୁର ରେହମାନ, ଅଲାମ ଏବଂ ମସୁଦକୁ ମଧ୍ୟ ଗିରଫ କରାଯାଇଥିଲା। ଉତ୍ତରପ୍ରଦେଶ ହାଥରସର ୧୯ ବର୍ଷୀୟ ଯୁବତୀ ଦୁଷ୍କର୍ମ ମାମଲାରେ ରିପୋର୍ଟ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ କପ୍ପାନ ଜେଲ୍ରେ ଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପୁଲିସ କପ୍ପାନକୁ ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ(UAPA) ଅଭିଯୁକ୍ତ କରିଥିଲା। ପରେ ଇଡି ମଧ୍ୟ କପ୍ପାନ ବିରୋଧରେ ଆଣ୍ଟି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। କପ୍ପାନ, ରେହମାନ, ଅହମଦ ଓ ଆଲମ ପିଏଫ୍ଆଇ ଠାରୁ ଟଙ୍କା ନେଇ ଦଙ୍ଗା ଉସ୍କାଇବା କାମ କରୁଥିଲେ ବୋଲି ଇଡି ଅଭିଯୋଗ ଲଗାଇଥିଲା। ରେହେମାନ ପିଏଫ୍ଆଇର ଛାତ୍ର ସଂଗଠନ କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆର ଜାତୀୟ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସହ ସାଧାରଣ ସମ୍ପାଦକ ମଧ୍ୟ ଥିଲା। ସେହିପରି ଆଲମ ପିଏଫ୍ଆଇର ଜଣେ ସଦସ୍ୟ ଥିଲା।