ଚୀନରେ କରୋନା ସମ୍ବନ୍ଧୀୟ ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ମିଳୁଛି ଭୟଙ୍କର ଦଣ୍ଡ: କାହାକୁ ଜେଲ, କାହାକୁ ମୃତ୍ୟୁଦଣ୍ଡ ତ କିଏ ନିଖୋଜ

Published By : Prameya-News7 Bureau | January 04, 2022 IST

ନୂଆଦିଲ୍ଲୀ ୦୪/୦୧ : କରୋନା ମହାମାରୀର ଉତ୍ପତ୍ତି ସମ୍ପର୍କୀୟ ତଥ୍ୟ ଦୁନିଆ ସାମ୍ନାରେ ଠିକ ଭାବେ ନ ରଖିବାକୁ ନେଇ ଚୀନ ସବୁବେଳେ ସମାଲୋଚନାର ଶିକାର ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ପେଶାଲ ଟିମକୁ ମଧ୍ୟ ଚୀନ ଠିକ ଭାବେ ଯାଞ୍ଚ କରିବାକୁ ଦେଇନଥିଲା। ଚୀନ ଲଗାତାର ସେଠାକାର କରୋନା ସମ୍ବନ୍ଧୀୟ ତଥ୍ୟ ଦୁନିଆଠୁ ଲୁଚେଇଛି। ଅନେକ ସାମ୍ବାଦିକ ଓ ଆକ୍ଟିଭିଷ୍ଟଙ୍କୁ କରୋନା ରିପୋର୍ଟିଂ ପାଇଁ ମୂଲ୍ୟ ଦେବାକୁ ପଡିଛି। ଏକ୍ସପର୍ଟ କହିଛନ୍ତି ଯେ ଚୀନ ସ୍ୱତନ୍ତ୍ର ସାମ୍ବାଦିକତାକୁ ବିରୋଧ କରୁଛି। ସେ ଲଗାତାର ସେହିମାନଙ୍କୁ ନିର୍ଯ୍ୟାତନା ଦେଉଛି ଯେଉଁମାନେ କରୋନାକୁ ନେଇ ସତ ସାମ୍ନାକୁ ଆଣୁଛନ୍ତି।

ଦ ଗାର୍ଡିଆନର ଏକ ରିପୋର୍ଟ ଅନୁଯାୟୀ ଇଣ୍ଡୋନେସିଆରେ ରହୁଥିବା ଚୀନ ନାଗରିକ ଚେନ କୁନଙ୍କୁ ସୂଚନା ମିଳିଛି ଯେ ଚୀନ ପୋଲିସ ତାଙ୍କୁ ପଚରାଉଚୁରା କରିବାକୁ ନିଜ ଦେଶକୁ ନେଇଯାଇଛି। ଚେନ କୁନ ବୁଝିଗଲେ ଯେ ତାଙ୍କ ଭାଇଙ୍କ ୱେବସାଇଟ ଯୋଗୁଁ ଏସବୁ ହେଉଛି। ଚେନଙ୍କ ଭାଇ ଚୀନରେ ଟର୍ମିନସ ୨୦୪୯ ନାମକ ଏକ ୱେବସାଇଟ ଚଳାନ୍ତି। ଏଥିରେ ମିଟୁ ମୁଭମେଣ୍ଟ ଓ ଅପ୍ରବାସୀ ଅଧିକାରୀ ସମେତ କରୋନା ରିପୋର୍ଟିଂକୁ ନେଇ ବଡ ଡାଟା ଉପଲବ୍ଧ। ଏହି ୱେବସାଇଟ ଉପରେ ଚୀନ ସରକାରଙ୍କ କଡା ନଜର ରହିଛି। ଗତ କିଛି ମାସ ହେଲା ଏହି ୱେବସାଇଟ କରୋନାକୁ ନେଇ ଚୀନ ସରକାରଙ୍କ ପୋଲ ଖୋଲୁଛି। ବର୍ତ୍ତମାନ ଚୀନ ପ୍ରଶାସନ ଲଗାତାର ୱେବସାଇଟ ସଞ୍ଚାଳକଙ୍କ ପରିବାରଲୋକଙ୍କୁ ହଇରାଣ କରୁଛି।

ମହିଳା ସାମ୍ବାଦିକ ଝାଙ୍ଗ ଝାନଙ୍କୁ କରୋନା ରିପୋର୍ଟିଂ ପାଇଁ ୪ ବର୍ଷ କାରାଦଣ୍ଡ ଦିଆଯାଇଛି। କରୋନା ପିକ ସମୟରେ ଝାଙ୍ଗ ବୁହାନର ଅନେକ ହସ୍ପିଟାଲକୁ ଯାଇ ରିପୋର୍ଟିଂ କରିଥିଲେ। ଏହାସହ ସେ ସାମ୍ବାଦିକଙ୍କ ଗିରଫଦାରୀ ବିରୋଧରେ ମଧ୍ୟ ରିପୋର୍ଟିଂ କରିଥିଲେ। ୩୭ ବର୍ଷୀୟ ଝାଙ୍ଗ ପେସାରେ ଜଣେ ଓକିଲ ଓ ସାଂଘାଇରେ ରୁହନ୍ତି। ସେ ୨୦୨୦ ଫେବୃଆରୀରେ ବୁହାନ ଯାଇଥିଲେ। ସେତେବେଳେ କରୋନା ଚରମ ସୀମାରେ ଥିଲା। ସାଟେଲାଇଟ ଫଟୋରୁ ଜଣାପଡୁଥିଲା ଯେ ଏଠାରେ ଶ୍ମଶାନ ଘାଟ ଚାଲିଛି। କିନ୍ତୁ ଚୀନ ଏମିତି କିଛି ଖୁଲାସା କରିନଥିଲା।

ଗଣମାଧ୍ୟମର ସ୍ୱତନ୍ତ୍ରତା ଉପରେ ଚୀନର ଦମନକାରୀ କାର୍ଯ୍ୟକଳାପ ଲଗାତାର ଜାରି ରହିଛି। ହଙ୍ଗକଙ୍ଗର ସିଟିଜେନ ନ୍ୟୁଜ ନାମକ ଏକ ଗଣମାଧ୍ୟମ ସଂସ୍ଥାକୁ ସୋମବାର ଦିନ ବନ୍ଦ କରିଦିଆଯାଇଛି। ଏହି ସଂସ୍ଥାର ମାଲିକ ଓ ସାମ୍ବାଦିକ କହିଛନ୍ତି ଯେ ସେମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସିଟିଜେନ ନ୍ୟୁଜ ହଙ୍ଗକଙ୍ଗର ସବୁଠାରୁ ଲୋକପ୍ରିୟ ୱେବସାଇଟ ମଧ୍ୟରୁ ଗୋଟିଏ। ସୋସିଆଲ ମିଡ଼ିଆରେ ଏହାର ପ୍ରାୟ ୮ ଲକ୍ଷ ଫଲୋୟର୍ସ ଅଛନ୍ତି। ଚୀନର ଏକଛତ୍ରବାଦ ସରକାରଙ୍କ ତରଫରୁ ଲଗାତାର ହଙ୍ଗକଙ୍ଗ ଗଣମାଧ୍ୟମ ଉପରେ ଚାପ ପକାଯାଉଛି। ସାମ୍ବାଦିକଙ୍କ ବିରୋଧରେ ବିନା କାରଣରେ ମୁକଦ୍ଦମା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.