ଓ୍ବାର୍ଲ୍ଡକପ୍ ସମୟରେ କାତାରରେ ଆଉ ଜଣେ ସାମ୍ବାଦିକଙ୍କ ରହସ୍ୟଜନକ ମୃତ୍ୟୁ, ୪୮ ଘଣ୍ଟାରେ ଦ୍ବିତୀୟ ଘଟଣା
13/12/2022 at 4:09 PM

ନୂଆଦିଲ୍ଳୀ, ୧୩/୧୨: କାତାରରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। କାତାରର ଅଲ କାସ ଟିଭି ପାଇଁ କାମ କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଖାଲିଦ ଅଲ୍ ମିସଲାମ୍ଙ୍କ ରବିବାର ମୃତ୍ୟୁ ହୋଇଛି। ଅଧିକାରୀକ ଭାବରେ ଏନେଇ କୌଣସି ସୂଚନା ଦିଆଯାଇନଥିବାବେଳେ ଗଣମାଧ୍ୟମରେ ତାଙ୍କର ମୃତ୍ୟୁ ନେଇ ଖବର ପ୍ରକାଶ ପାଇଛି। ନିକଟରେ ଏଲଜିବିଟି ସମୁଦାୟକୁ ସମର୍ଥନ କରୁଥିବା ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁର ୪୮ ଘଣ୍ଟା ନପୁରୁଣୁ ଏହି ଘଟଣା ଘଟିଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସୂଚନାଯୋଗ୍ୟ, ୪୮ ଘଣ୍ଟା ପୂର୍ବରୁ ଆମେରିକାର ସାମ୍ବାଦିକ ଗ୍ରାଣ୍ଟ ହ୍ବାଲଙ୍କ ମୃତ୍ୟୁ ହୋଇଥିଲା। କତାରର ଲୁସେଲ ଆଇକନିକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ନେଦରଲାଣ୍ଡ ମଧ୍ୟରେ ଚାଲିଥିବା କ୍ବାର୍ଟରଫାଇନାଲ ସମୟରେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା।
ଏନେଇ ହ୍ବାଲଙ୍କ ଭାଇ ଏରିକ୍ କତାରୀ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ଏଥିରେ ସରକାରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ। ହ୍ବାଲଙ୍କ ପତ୍ନୀ ମଧ୍ୟ ତାଙ୍କ ମୃତ୍ୟୁକୁ ନେଇ ଆଚମ୍ବିତ ହୋଇଥିଲେ।
ପ୍ରକୃତରେ ଏଲଜିବିଟିକ୍ୟୁ ସମ୍ପ୍ରଦାୟର ସମର୍ଥନରେ ସେ ଇନ୍ଦ୍ରଧନୁ ରଙ୍ଗର ସାର୍ଟ ପିନ୍ଧିଥିବାରୁ ତାଙ୍କୁ ଅଟକ ରଖାଯାଇଥିଲା। ପ୍ରକୃତରେ କାତାର ସରକାରଙ୍କ ଦ୍ବାରା ଫ୍ୟାନ୍ଙ୍କ ଉପରେ ଖାସ୍କରି ଏଲଜିବିଟିକ୍ୟୁ, ବ୍ୟକ୍ତିବିଶେଷ ଏବଂ ମହିଳା ପାଇଁ ଲଗାଯାଇଥିବା ନିୟମ ଆଲୋଚନାର ବିଷୟ ହୋଇଛି।