ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ନୂଆ ଭିଡିଓ ଭାଇରାଲ

Published By : Prameya-News7 Bureau | October 01, 2018 IST

ପୁରୀ ୧/୧୦ : ପୁରୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାର ନୂଆ ଭିଡିଓ ସାମ୍ନାକୁ ଆସିଛି | ଆକ୍ରମଣର ଏହି ନୂଆ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଆକ୍ରମଣର ମୁଖ୍ୟ ଖଳନାୟକ ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ବୋଲି ଜଣାପଡିଛି | ମାଜିଷ୍ଟ୍ରେଟ କିମ୍ବା ଏସପିଙ୍କ ବିନା ନିର୍ଦେଶରେ ସେ ଆକ୍ରମଣ କରିବା ଲାଗି ନିର୍ଦେଶ ଦେଇଥିଲେ | ପୁରୀ ଖୁଣ୍ଟିଆ ପେଟ୍ରୋଲ ଟାଙ୍କିରେ ସେହି ସମୟରେ କେବଳ ଗଣମାଧ୍ୟମ ପ୍ରତିନିଧି ଥିବା ବେଳେ ଲିଙ୍ଗରାଜ ମିଶ୍ରଙ୍କ ନେତୃତ୍ୱରେ ଏହି ଆକ୍ରମଣ ଯୋଜନାବଦ୍ଧ ଭାବେ କରାଯାଇଥିଲା | ତାଙ୍କ ନେତୃତ୍ୱରେ ପୋଲିସ ଏହି ବର୍ବର କାଣ୍ଡ ଘଟାଇଥିଲା | ଡେପୁଟି କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର ଦୀର୍ଘ ଦିନ ହେଲା ପୁରୀରୁ ଉପର କୋଲାବକୁ ବଦଳି ହୋଇଥିଲେ ମଧ୍ୟ ସେ ଏଠାରେ ରହି ଆସୁଛନ୍ତି | ପୁରୀରେ ଡେପୁଟି କମାଣ୍ଡାଣ୍ଟ ପଦବୀ ନଥିବା ବେଳେ ସେ ଏଠାରେ ପୋଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗରେ ରହିଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ସେ ବର୍ତମାନ ପୁରୀରେ କୌଣସି ଦାୟିତ୍ୱରେ ନଥିବା ବେଳେ ଉପର କୋଲାବରୁ ଦରମା ମଧ୍ୟ ପାଉଛନ୍ତି | ଏପରି ଜଣେ ଅଧିକାରୀ କେଉଁ ଆଇନ ଓ ନିର୍ଦେଶ ବଳରେ ଏଭଳି ଆକ୍ରମଣ ନିର୍ଦେଶ ଦେଇଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହି ଅଧିକାରୀଙ୍କୁ ତୁରନ୍ତ ବରଖାସ୍ତ କରାଯିବା ସହ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ଜୋର ଧରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.