କେବଳ ଯୋଶୀମଠ ନୁହେଁ, ନୈନିତାଲ ଏବଂ ଉତ୍ତରକାଶୀରେ ମଧ୍ୟ ଧସୁଛି ମାଟି, ବୈଶଷଜ୍ଞଙ୍କ ଚେତାବନୀ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୋଶୀମଠ ବିପର୍ଯ୍ୟୟ ପ୍ରଭାବିତ ସହର ଘୋଷିତ ହୋଇଛି । ଏଠାରେ ମାଟି ଧସିବାକୁ ନଜରରେ ରଖି ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ଉଦ୍ୟମ କରୁଛନ୍ତି । ତେବେ ଭୂ-ବୈଜ୍ଞାନିକ ଏବଂ ବିଶେଷଜ୍ଞଙ୍କ କହିବା ଅନୁସାରେ ବିପଦ କେବଳ ଯୋଶୀମଠକୁ ନାହିଁ ବରଂ ନୈନିତାଲ ଏବଂ ଉତ୍ତରକାଶୀରେ ମଧ୍ୟ ମାଟି ଧସିବା ଜାରି ରହିଛି । ଦୀର୍ଘ ବର୍ଷରୁ ଯୋଶୀମଠ ପାଇଁ ଦିଆଯାଉଥିବା ଚେତାବନୀକୁ ଯେପରି ଅଣଦେଖା କରାଯାଉଥିଲା, ଠିକ୍ ସେହିପରି ନୈନିତାଲ ଏବଂ ଉତ୍ତରକାଶୀକୁ ନେଇ ଦିଆଯାଉଥିବା ଚେତାବନୀକୁ ମଧ୍ୟ ଅଣଦେଖା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଯୋଶୀମଠର ୬୦୦ରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଛି । କେବଳ ଏତିକି ନୁହେଁ ମାରୱାଡି ଅଞ୍ଚଳରେ ମାଟି ତଳୁ ପାଣି ଲଗାତାର ବୋହିବାରେ ଲାଗିଛି । ଯାହା ଏକ ବଡ଼ ବିପଦର ସଂକେତ ଦେଉଛି ।

କମାଓଁ ୟୁନିଭରସିଟିର ବୈଜ୍ଞାନିକ ପ୍ରଫେସର ବାହାଦୂର ସିଂ କୋଟଲିଆଙ୍କ ବୟାନକୁ ନେଇ ଇଣ୍ଡିଆ ଟୁଡେ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଯୋଶୀମଠ ପରି ନୈନିତାଲ, ଉତ୍ତରକାଶୀ, ରୁଦ୍ରପ୍ରୟାଗ ଏବଂ ଚମ୍ପାବତରେ ମଧ୍ୟ ମାଟି ଧସିବା ଜାରି ରହିଛି । ଏଠାରେ ମଧ୍ୟ ସଂକଟ ବଢିବାରେ ଲାଗିଛି । ତେବେ ଏହା ପଛରେ ମାନବୀୟ ଗତିବିଧି ଏବଂ ଟୋ-ଇରୋଜନ ଦାୟୀ ରହିଛି । ଏଠାକୁ ବଡ଼ ସଂଖ୍ୟାରେ ଲୋକଙ୍କ ଆସିବା ଏବଂ ଅଧିକ ଏବଂ ସମ୍ୱେଦନଶୀଳ ନିର୍ମାଣ ସହ ଖନନ ବିପଦର କାରଣ ହୋଇଛି ।

ବୈଜ୍ଞାନିକଙ୍କ କହିବା ଅନୁସାରେ ଯୋଶୀମଠରେ ଯେଉଁ ସ୍ଥିତି ଉତ୍ପନ୍ନ ହୋଇଛି ତା ପଛରେ ମେନ ସେଣ୍ଟ୍ରାଲ ଥ୍ରିଷ୍ଟ ଦାୟୀ ରହିଛି । ଏହା ଏକ ଭୂବୈଜ୍ଞାନିକ ପ୍ରକ୍ରିୟା ଅଟେ । ଏହି କାରଣରୁ ଭାରତୀୟ ପ୍ଲେଟ୍ ୟୁରେସିୟନ ପ୍ଲେଟ ତଳକୁ ଖସିଥାଏ । ଏହି ଗତିବିଧି ଯୋଗୁଁ ଏଠାରେ ଭୂମିକମ୍ପ ହୋଇଥାଏ । ଅନ୍ୟ ଏକ କାରଣ ପାହାଡରୁ ଆସୁଥିବା ପାଣିର ମାର୍ଗରେ ବାଧା ସୃଷ୍ଟି ହେବା । ବର୍ଷା ଏବଂ ତୁଷାରପାତ ପରେ ନଦୀରେ ପାଣି ନ ପହଞ୍ଚି ମାଟି ତଳକୁ ଚାଲି ଯାଇ ନିଜ ରାସ୍ତା କରିଥାଏ । ରିପୋର୍ଟରେ କୁହାଯାଇଛି ଯେ ନୈନିତାଲ ଏବଂ ଉତ୍ତରକାଶୀରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡର ଚାପ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.