ଉତ୍ତରାଖଣ୍ଡର ୪ ଜିଲ୍ଲାରେ ଭୂସ୍ଖଳନ ଭୟ; ଯୋଶୀମଠ ଭଳି ୩୦ ଗାଁରେ ଧସୁଛି ମାଟି

Published By : Prameya-News7 Bureau | January 09, 2023 IST

ଡେରାଡୁନ୍: ଉତ୍ତରାଖଣ୍ଡ ଯୋଶୀମଠରେ ଭୂସ୍ଖଳନକୁ ନେଇ ଆତଙ୍କିତ ଅବସ୍ଥାରେ ଲୋକ । ଧୀରେ ଧୀରେ ଧସିବାରେ ଲାଗିଛି ମାଟି । ଫାଟି ଆଁ କରୁଛି ଭୂ-ପୃଷ୍ଠ । କେବଳ ଯୋଶୀମଠ ନୁହେଁ ଉତ୍ତରାଖଣ୍ଡର ୪ଟି ଜିଲ୍ଲାରେ ଲୋକଙ୍କୁ ଭୂସ୍ଖଳନ ଭୟ ଘାରିଛି । ୨୫-୩୦ଟି ଗାଁରେ ମାଟି ଧସୁଥିବା ଦେଖିବାକୁ ମିଳିଥିବାବେଳେ ଘର ଓ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି ।

ବିଶେଷ କରି ଟେହରୀ, ଗଢଓ୍ବାଲ, ଉତ୍ତରକାଶୀ ଜିଲ୍ଲାରେ ମାଟି ଭୂସ୍ଖଳନ ଦେଖିବାକୁ ମିଳିଛି । ଟେହରୀ ଜିଲ୍ଲା ନରେନ୍ଦ୍ରନଗରର ଅଟାଲି ଗାଁରେ ଋଷିକେଶ-କର୍ଣ୍ଣପ୍ରୟାଗ ରେଲ୍ଓ୍ବେ ଷ୍ଟେସନ ନିର୍ମାଣ ଯୋଗୁ ଘରଦ୍ବାର ଓ ଚାଷ ଜମିରେ ଫାଟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଅଟାଲି ଗାଁରେ ଗତ ୨ରୁ ୩ଦିନ ମଧ୍ୟରେ ଚାଷ ଜମିରେ ମାଟି ଦେଢ ଫୁଟ୍ ତଳକୁ ଦବିଯାଇଛି ଦେଖିବାକୁ ମିଳିଛି । ରେଳ ବିଭାଗର ଅଧିକାରୀ ଗ୍ରାମବାସୀ ଏନେଇ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ସେହିପରି ଉତ୍ତରକାଶୀ ଜିଲ୍ଲାର ୟମୁନେତ୍ରୀ ଜାତୀୟ ରାଜପଥ ଉପରେ ରହିଥିବା ଅବସ୍ଥିତ ଗାଁ ଏବେ ନିଜର ଅସ୍ତିତ୍ବ ହରାଇବାକୁ ବସିଲାଣି । ଗାଁରେ ମାଟି ଧସୁଥିବା ଦେଖିବାକୁ ମିଳିଛି । ୟୁମୁନେତ୍ରୀ ଧାମକୁ ଯାଇଥିବା ଏକ ମାତ୍ର ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଛି । ଗାଁରେ ରହୁଥିବା ୩୦ରୁ ଅଧିକ ପରିବାର ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପୀଡିତ ପରିବାରକୁ ଗାଁରୁ ଖାଲି କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.