ଚମୋଲୀ ୮।୧: ଯୋଶୀ ମଠରେ ମାଟି ଧସିବା ଘଟଣା ପରେ ଚାମୋଲୀ ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ଜିଲ୍ଲା ପ୍ରଶାସନ ଓ ଏସଡିଆରଏଫ ଅସୁରକ୍ଷିତ ଘର ଚିହ୍ନଟରେ ଲାଗିପଡିଛନ୍ତି। ଯୋଶୀମଠ ଭୂ ସ୍ଖଳନ ଘଟଣାରେ କ୍ଷତିଗ୍ରସ୍ତ ଘରଗୁଡିକର ଚିହ୍ନଟ କରିବା ସହ ନାଲି ଛକି ଚିହ୍ନ ଲଗାଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ ପରାମର୍ଶ ଦେଉଛନ୍ତି। ଏଠାରେ ଏପର୍ଯ୍ୟନ୍ତ ୬୦୩ଟି ଘରେ ଫାଟ ପଡିଛି। ଏଥିରୁ ଏପରି ୧୦୦ଟି ଘର ରହିଛି ଯାହା କେବେବି ଭୂଷୁଡି ପାରେ।
ପ୍ରଶାସନ ଏଠାରୁ ୬୫ଟି ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାରେ ସଫଳ ହୋଇଛି। ଏଥିରେ ବାକି ଲୋକଙ୍କୁ ମଧ୍ୟ ତୁରନ୍ତ ଘର ଛାଡିବା ଲାଗି ମନେଇବାକୁ ଉଦ୍ୟମ ଜାରି ରହିଛି। ଯୋଶୀ ମଠ ପରେ କର୍ଣ୍ଣ ପ୍ରୟାଗରେ ମଧ୍ୟ ମାଟି ଫାଟିବାର ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣ ପ୍ରୟାଗ ନଗର ପାଳିକା ଅନ୍ତର୍ଗତ ବହୁଗୁଣା ନଗରରେ ୫୦ଟି ଘରେ ଫାଟ ପଡିଥିବା ଦେଖା ଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶନିବାର ଯୋଶୀମଠ ଗସ୍ତ କରି ପରିସ୍ଥିତି ଆକଳନ କରିଛନ୍ତି।
{"id":730566,"sizeSlug":"full","linkDestination":"none"}
ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଲାଗି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ଚାମୋଲି ଜିଲ୍ଲାର ଜିଲ୍ଲାଧିକାରୀଙ୍କୁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଛଡା ତାଙ୍କୁ ଯୋଶୀମଠ ଅଞ୍ଚଳର ସର୍ଭେ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଯୋଶୀମଠରେ ମାଟି ଫାଟୁଥିବାରୁ ଏନଟିପିସି ଶକ୍ତି ପ୍ରକଳ୍ପ ଟନେଲ ତଳେ କାମକୁ ରୋକି ଦିଆଯାଇଛି।
ପ୍ରଶାସନ ବିଆରଓ ଅନ୍ତର୍ଗତ ହେଲଙ୍ଗ ବାଇପାସ୍ ନିର୍ମାଣ କାର୍ଯ୍ୟ ସମେତ ଏନଟିପିସିଙ୍କ ତପୋବନ ବିଷ୍ଣୁଗଡ ଜଳ ବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ଓ ନଗର ପାଳିକା କ୍ଷେତ୍ର ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ଉପରେ ତତ୍କାଳ ରୋକ ଲଗାଇ ଦିଆଯାଇଛି। ଏହା ସହ ଯୋଶୀମଠ- ଔଲୀ ରୋପ ୱେ ସଞ୍ଚାଳନକୁ ଅନ୍ୟାଦେଶ ପର୍ଯ୍ୟନ୍ତ ରୋକା ଯାଇଛି। ମନେ କରାଯାଉଛି ଏନଟିପିସି ନିର୍ମାଣ କରୁଥିବା ସୁଡ଼ଙ୍ଗ ଯୋଗୁ ଯୋଶୀ ମଠରେ ମାଟି ଧସିବା ଘଟଣା ଘଟୁଛି।
{"id":730567,"sizeSlug":"full","linkDestination":"none"}
ତେବେ ଏନଟିପିସି ମାମଲାରେ ସ୍ପଷ୍ଟିକରଣ ଦେଇଛନ୍ତି। ଏଥିରେ ଏନଟିପିସି ଯୋଶୀମଠ ସହର ତଳେ ସୁଡଙ୍ଗ ନିର୍ମାଣ କରୁନଥିବା କହିଛି। ଏହି ସୁଡଙ୍ଗର ନିର୍ମାଣ ଟେନେଲ ବୋରିଂ ମେସିନ ଦ୍ୱାରା କରାଯାଉଛି। ଏହା ଛଡା ଏବେ କୌଣସି ବ୍ଲାଷ୍ଟିଂ କାମ କରାଯାଉନଥିବା ଏନଟିପିସି କହିଛି।