ମହେନ୍ଦ୍ର ସିଂହ ଧୋନୀଙ୍କୁ ପଛରେ ପକାଇଲେ ବଟଲର, ଭାଙ୍ଗିଲେ ୧୭ ବର୍ଷର ପୁରୁଣା ରେକର୍ଡ

Published By : Prameya-News7 Bureau | June 23, 2022 IST

 ନୂଆଦିଲ୍ଲୀ:  ଇଂଲଣ୍ଡର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଜୋସ୍ ବଟଲର ଜବରଦସ୍ତ ଫର୍ମରେ ଅଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ରେ ଅରେଞ୍ଜ କ୍ୟାପ୍ ଜିତିଥିବା ଟବଲରଙ୍କ ବ୍ୟାଟ୍ ଶାନ୍ତ ହେବାର ନାଁ ନେଉ ନାହିଁ। ନେଦରଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ସେ ଏମିତି ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଯେଉଁଥିରେ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି। ଏହି ସିରିଜରେ ବଟଲର ମହେନ୍ଦ୍ର ସିଂହ ଧୋନୀଙ୍କ ୧୭ ବର୍ଷର ଖାସ୍ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଗୋଟିଏ ଦିନିକିଆ ସିରିଜରେ ଓ୍ଵିକେଟ୍ କିପରଙ୍କ ଦ୍ଵାରା ସବୁଠୁ ଅଧିକ ଛକା ମାରିବାର ବିଶ୍ଵ ରେକର୍ଡ ଏବେ ବଟଲରଙ୍କ ନାମରେ ହୋଇ ଯାଇଛି। ଏହା ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାମରେ ଥିଲା।

ବଟଲର ନେଦରଲାଣ୍ଡ ବିପକ୍ଷ ତିନି ମ୍ୟାଚର ଦିନିକିଆ ସିରିଜରେ ୧୯ ଛକା ମାରିଛନ୍ତି। ଧୋନୀ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ୧୭ ଛକା ମାରିଥିଲେ। ଧୋନୀଙ୍କ ପରେ ଥିଲେ ଏବି ଡିଭିଲିୟର୍ସ। ସେ ୨୦୧୫ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୧୬ ଛକା ମାରିଥିଲେ। ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଥିଲେ ବଟଲର।

ସେ ୨୦୧୯ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଗୋଟିଏ ସିରିଜରେ ୧୪ ଛକା ମାରିଥିଲେ। ତେବେ ବଟଲର ଧୋନୀଙ୍କୁ ପଛରେ ପକାଇଛନ୍ତି। ନେଦରଲାଣ୍ଡ ବିପକ୍ଷ ସିରିଜରେ ବଟଲର ୧୮୫.୦୭ ଷ୍ଟ୍ରାଇକ ରେଟରେ ମୋଟ୍ ୨୪୮ ରନ କରିଛନ୍ତି। ସେ ସିରିଜରେ ଥରୁଟିଏ ବି ଆଉଟ୍ ହୋଇ ନାହାନ୍ତି। ବଟଲର ୧୯ ଛକା ସହ ୧୪ ଚୌକା  ମଧ୍ୟ ମାରିଛନ୍ତି। ଦମଦାର ପ୍ରଦର୍ଶନ ପାଇଁ ଏହି ସିରିଜରେ ବଟଲରଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ ପୁରସ୍କାର ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.