ନ୍ୟୁୟର୍କ: ଏଠାରେ ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଉଥିବା ମନ୍ଥର ପିଚ୍ରେ ପୁଣି ଥରେ ଆଣ୍ଠେଇଛନ୍ତି ବ୍ୟାଟର। ଆଜି ଟି-୨୦ ବିଶ୍ଵକପ୍ ୨୦୨୪ରେ ଖେଳା ଯାଇଥିବା ୨୨ତମ ମ୍ୟାଚ୍ରେ କାନାଡ଼ା ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍ ହରାଇ ୧୦୬ ରନ କରିଛି। ଦଳ ପକ୍ଷରୁ ଆରୋନ ଜନସନ ୫୨ ରନର ଇନିଂସ ଖେଳିଥିଲେ। ଲୋ ସ୍କୋରିଂ ମ୍ୟାଚ୍ରେ ପାକିସ୍ତାନ ସମ୍ମୁଖରେ ରହିଛି ୧୦୭ ରନର ବିଜୟ ଲକ୍ଷ୍ୟ। ଏହି ମୁକାବିଲା ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ଜିତିଲେ ପାକିସ୍ତାନର ସୁପର ୮କୁ ଯିବାର ଆଶା ଉଜ୍ଜିବୀତ ରହିବ। ହାରିଲେ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ।
Also read: ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ି ପାରନ୍ତି ଶିବମ ଦୁବେ, ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କାନାଡ଼ା ପାଇଁ ପ୍ରଥମ ଦୁଇ ଓଭର ଭଲ ରହିଥିଲା। ମାତ୍ର ତୃତୀୟ ଓଭରରେ ନବନୀତ ଢାଲିଓ୍ଵାଲ ୪ ରନ କରି ଆଉଟ୍ ହୋଇଥିଲେ। ପାଓ୍ଵାର ପ୍ଲେ ଶେଷ ହେବା ବେଳକୁ ପରଗତ ସିଂ ୨ ରନ କରି ପାଭିଲିୟନ ଫେରିଥିଲେ। ପ୍ରଥମ ୬ ଓଭରରେ ଦଳ ୨ ଓ୍ଵିକେଟ୍ ହରାଇ ୩୦ ରନ କରିଥିଲା।ଏହାପରେ କାନାଡାଇ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଫଳରେ ଦଳ ୧୦ ଓଭରରେ ୪ ଓ୍ଵିକେଟ୍ ବିନିମୟରେ ୫୫ ରନ କରିଥିଲା। ଭଲ ଫର୍ମରେ ଥିବା ନିକୋଲାସ କିର୍ଟନ ଓ ଶ୍ରେୟସ ମୋଭା କ୍ରମଶଃ ୧ ଓ ୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଦମଦାର ବ୍ୟାଟିଂ କରୁଥିବା ଆରୋନ ଜନସନ ୩୯ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ।
ଦଳର ସ୍ଥିତି ସୁଧୁରିବା ବେଳକୁ ଜନସନ ୧୪ତମ ଓଭରରେ ନସୀମ ଶାହଙ୍କ ବଲ୍ରେ କ୍ଲିନ ବୋଲ୍ଡ ହୋଇଥିଲେ। ସେ ୪୪ ବଲ୍ରୁ ୪ ଚୌକା ଏବଂ ୪ ଛକା ସହ ୫୨ ରନ କରିଥିଲେ। ୧୫ତମ ଓଭରରେ କାନାଡ଼ା ୬ ଓ୍ଵିକେଟ୍ ହରାଇ ୭୭ ରନ କରିଥିଲେ। ଅଧିନାୟକ ସାଦ ବିନ ଜଫର ଇନିଂସକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ୨୧ ବଲରୁ ୧୦ ରନ କରି ଆଉଟ୍ ହୋଇଥିଲେ। ଶେଷ ଓଭର ଗୁଡ଼ିକରେ ଡିଲୋନ ହେଲିଗର ଓ କଲିନ ସନା ଦ୍ରୁତ ବ୍ୟାଟିଂ କରିବାକୁ ଉଦ୍ୟମ କରିଥିଲେ ହେଁ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇ ପାରିନ ଥିଲେ। ଅନ୍ତିମ ଓଭରରେ କଲିନ ସନା ୧୩ ରନ ଓ ଡିଲୋନ ହେଲିଗର ୯ ରନ କରି କାନାଡାଇ ଇନିଂସକୁ ୧୦୬ ରନରେ ପହଞ୍ଚାଇଥିଲେ।
ବୋଲିଂରେ ମହମ୍ମଦ ଆମିର ୪ ଓଭରରେ ୧୩ ରନ ଦେଇ ୨ଟି ଏବଂ ହାରିସ ରାଉଫ ୪ ଓଭରରେ ୨୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।