ଭାରତକୁ ମିଳିବ କରୋନା ବିରୋଧୀ ଚତୁର୍ଥ ଅସ୍ତ୍ର, ଜନ୍‌ସନ୍ ଏଣ୍ଡ ଜନ୍‌ସନ୍ ମାଗିଲା ସିଙ୍ଗଲ ଡୋଜ୍ ଭ୍ୟାକ୍‌ସିନ୍‌ର ବ୍ୟବହାରିକ ଅନୁମୋଦନ

Published By : Prameya-News7 Bureau | August 06, 2021 IST

ନୂଆଦିଲ୍ଲୀ ୦୬/୦୮: ଆହୁରି ସହଜ ହେବ କରୋନା ବିରୋଧୀ ଯୁଦ୍ଧ । ଆମେରିକାର ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ କରୋନା ବିରୋଧରେ ଏକକ-ଡୋଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲୋଡିଛନ୍ତି । ଯଦି ଏହାକୁ ସରକାର ଅନୁମୋଦନ କରନ୍ତି, ତେବେ ଏହା ଚତୁର୍ଥ ଟିକା ହେବ । ଯାହା ସାହାଯ୍ୟରେ ଭାରତରେ ମହାମାରୀ ବିରୋଧରେ ଲଢେଇ ଚାଲିଛି ।

ସୂଚନା ଥାଉ ଯେ ବର୍ତ୍ତମାନ ଭାରତରେ କୋଭାକ୍ସିନ, କୋଭିସିଲ୍ଡ ଏବଂ ରୁଷର ଟିକା ସ୍ପୁଟନିକ୍-ଭି ସହାୟତାରେ ଏକ ବିଶାଳ ଟୀକାକରଣ ଅଭିଯାନ ଚାଲିଛି । କୋଭାକ୍ସିନ୍, କୋଭିସିଲ୍ଡ ଏବଂ ସ୍ପୁଟ୍‌ନିକ୍-ଭି ଏ ସମସ୍ତ ତିନୋଟି ଡବଲ୍-ଡୋଜ୍ ଟିକା । ସେମାନଙ୍କ ସାହାଯ୍ୟରେ ପ୍ରାୟ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୪୯.୫୩ କୋଟିରୁ ଅଧିକ ଡୋଜ ଦିଆଯାଇଛି ।

ଜରୁରୀକାଳୀନ ବ୍ୟବହାର ପାଇଁ ଯଦି ଜନସନ ଆଣ୍ଡ ଜନସନଙ୍କ ଟିକା ଅନୁମୋଦିତ ହୁଏ, ତେବେ ଏହା ଭାରତରେ ବ୍ୟବହୃତ ପ୍ରଥମ ସିଙ୍ଗଲ୍ ଡୋଜ୍ ଟିକା ହେବ । ଭାରତ ପରି ଏକ ଜନବହୁଳ ଦେଶରେ, ଗୋଟିଏ ମାତ୍ର ଡୋଜ ଟିକା କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେବା ସହଜ କରିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୪୯.୫ କୋଟିରୁ ଅଧିକ ଡୋଜ୍ ଆଣ୍ଟି-କରୋନା ଭାଇରସ୍ ଟିକା ଦିଆଯାଇଛି ।

ଗୁରୁବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ମିଳିଥିବା ଅସ୍ଥାୟୀ ତଥ୍ୟ ଅନୁଯାୟୀ ଗତକାଲି ୫୦.୨୯ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା । ମନ୍ତ୍ରଣାଳୟ କହିଛି ଯେ ୧୮ ରୁ ୪୪ ବର୍ଷ ବୟସର ୨୭,୨୬,୪୯୪ ହିତାଧିକାରୀଙ୍କୁ ଗୁରୁବାର ପ୍ରଥମ ଡୋଜ ଦିଆଯାଇଥିବାବେଳେ ୪,୮୧,୮୨୩ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଦେଶର ପାଞ୍ଚଟି ରାଜ୍ୟ- ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୧୮ ରୁ ୪୪ ବର୍ଷ ବୟସର ଏକ କୋଟିରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.