Ranchi Test: ପ୍ରଥମ ଦିନରେ ରୁଟ୍‌ଙ୍କ ଦମଦାର ବ୍ୟାଟିଂ, ଶତକ ମାରି ସମ୍ଭାଳିଲେ ଇଂଲଣ୍ଡ ଇନିଂସ

Published By : Prameya-News7 Bureau | February 23, 2024 IST

ରାଞ୍ଚି: ରାଞ୍ଚିର ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ଖେଳା ଯାଉଛି। ପ୍ରଥମ ଦିନରେ ଉଭୟ ଭାରତ ଓ ଇଂଲଣ୍ଡ ସମ୍ମାନ ଭାଗବଣ୍ଟା କରିଛନ୍ତି। ଜୋ ରୁଟ୍‌ଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ଷ୍ଟମ୍ପଅପସାରଣ ସୁଦ୍ଧା ୭ ଓ୍ଵିକେଟ୍ ହରାଇ ୩୦୨ ରନ କରିଛି। ଜୋ ରୁଟ୍ ୧୦୩ ରନ ଓ ଓଲି ରବିନସନ ୩୧ ରନ କରି ଖେଳୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟରେ ପଦାର୍ପଣ କରିଥିବା ଆକାଶ ଦୀପ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛି। ପ୍ରଥମ ଦିନର ଖେଳ ରୁଟ୍‌ଙ୍କ ନାଁରେ ରହିଛି।

wp:heading {"level":4}

Also read- ଆକାଶଙ୍କ ଘାତକ ବୋଲିଂରେ ଘାଇଲା ଇଂଲିଶ୍: ପ୍ରଥମ ସ୍ପେଲରେ ୩ ଓ୍ବିକେଟ୍

/wp:heading

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ଦୁଇ ଓପନର ବେନ ଡକେଟ୍ ଓ ଜ୍ୟାକ କ୍ରାଉଲି ୪୭ ରନ ଯୋଡ଼ିଥିଲେ। ଡକେଟ୍(୧୧)ଙ୍କୁ ଆଉଟ୍ କରି ଆକାଶ ଦୀପ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଆକାଶ ଆଉ ୨ଟି ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ କରିଥିଲେ। ଓଲି ପପ୍‌ଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ ଆକାଶ ଦୀପ। ଜ୍ୟାକ କ୍ରାଉଲି ଦିନିକିଆ ଶୈଳୀରେ ବ୍ୟାଟିଂ କରି ୪୨ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୪୨ ରନ କରି ଆଉଟ୍ ହୋଇଥିଲେ। ଜୋ ରୁଟ୍ ଓ ଜୋନି ବେୟାରଷ୍ଟୋ ଚତୁର୍ଥ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ିଥିଲେ। ବେୟାରଷ୍ଟୋ ୩୮ ରନର ଦ୍ରୁତ ଇନିଂସ ଖେଳିଥିଲେ। ଅଧିନାୟକ ବେନ ଷ୍ଟୋକ୍ସ(୩) ପାଭିଲିୟନ ଫେରିଥିଲେ। ୧୧୨ ରନରେ ଇଂଲଣ୍ଡ ୫ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।

Image
bcci

ଏହା ପରେ ଜୋ ରୁଟ୍ ନିମ୍ନକ୍ରମରେ ବେନ ଫୋକ୍ସଙ୍କ ସହ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଏହି କ୍ରମରେ ରୁଟ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ଷଷ୍ଠ ଓ୍ଵିକେଟ୍‌ ପାଇଁ ୧୧୩ ରନର ଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ବେନ ଫୋକ୍ସ ୪୭ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଟମ୍ ହାର୍ଟଲୀ(୧୩) ଆଉଟ୍ ହୋଇଥିଲେ। ଏହା ମଧ୍ୟରେ ରୁଟ୍ ଦମଦାର ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରର ୩୧ତମ ଶତକ ପୂରଣ କରିଛନ୍ତି। ରୁଟ୍‌ଙ୍କ ଅପରାଜିତ ଶତକ ଦମରେ ଇଂଲଣ୍ଡ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭ ଓ୍ଵିକେଟ୍ ହରାଇ ୩୦୨ରନ କରିଛି।

ଭାରତ ପକ୍ଷରୁ ଆକାଶଦୀପ ୭୦ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ୬୦ ରନ ଦେଇ ୨ଟି ସଫଳତା ପାଇଛନ୍ତି। ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ଵିନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.