ସବୁଠୁ ଆଗରେ ଜୋ ରୁଟ୍, ‘ଫ୍ୟାବ ୪’ରେ ପ୍ରଥମ ବ୍ୟାଟସମ୍ୟାନ ଭାବେ ପୂରଣ କଲେ ୧୦ ହଜାର ରନ

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ; ନ୍ୟୁଜିଲାଣ୍ଡ ବିପକ୍ଷ ଲର୍ଡ୍ସରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଜୋ ରୁଟ୍ ଟେଷ୍ଟ କ୍ୟାରିୟରରେ ୧୦ ହଜାର ରନ ପୂରଣ କରିଛନ୍ତି। ଇଂଲଣ୍ଡର ବ୍ୟାଟସମ୍ୟାନ  ଜୋ ରୁଟ୍ ‘ଫ୍ୟାବ ୪’ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସବୁଠୁ ଅଧିକ  ରନ କରିବାର ଖେଳାଳି ପାଲଟିଛନ୍ତି। ଏହି ତାଲିକାରେ ଜୋ ରୁଟଙ୍କ ସହ ଭାରତର ବିରାଟ କୋହଲି, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ ଏବଂ ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନଙ୍କ ନାମ ମଧ୍ୟ ସାମିଲ୍। ଏହି ଚାରି ବ୍ୟାଟସମ୍ୟାନ ଏହି ପିଢିର ସମସ୍ତ ଫର୍ମାଟର ଶ୍ରେଷ୍ଠ ବ୍ୟାଟସମ୍ୟାନ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ୧୧୮ ଟେଷ୍ଟରେ ୪୯.୫୭ ହାରରେ ୧୦,୦୧୫ ରନ କରିଛନ୍ତି। ଏଥିରେ ୨୬ ଶତକ ଏବଂ ୫୩ ଅର୍ଦ୍ଧଶତକ ସାମିଲ୍। ସର୍ବୋଚ୍ଚ ସ୍କୋର ୨୫୪ ରହିଛି। ଗତ ଦୁଇ ବର୍ଷ ହେବ ରୁଟଙ୍କ ବ୍ୟାଟରୁ ଖୁବ ରନ ବର୍ଷା ହୋଇଛି। ଏହି ସମୟରେ ସେ ୨୬ଟି ମ୍ୟାଚରେ ୫୩.୬୮ ହାରରେ ୨୪୧୬ ରନ କରିଛନ୍ତି। ସର୍ବଶ୍ରେଷ୍ଠ ସ୍କୋର ୨୨୮ ରହିଥିବା ବେଳେ ନଅ ଶତକ ଏବଂ ପାଞ୍ଚ ଅର୍ଦ୍ଧଶତକ ସାମିଲ୍।

ଫ୍ୟାବ୍ ୪ରେ ସବୁଠୁ ଅଧିକ ରନ ମାମଲାରେ ବିରାଟ କୋହଲି ଦ୍ଵିତୀୟ ସ୍ଥାନରେ ଅଛନ୍ତି। ଏଥିରେ ୨୭ ଶତକ ଏବଂ ୨୮ ଅର୍ଦ୍ଧଶତକ ସାମିଲ୍। ଗତ ଦୁଇ ବର୍ଷରେ କୋହଲି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପାରି ନାହାନ୍ତି। ସେ ୧୫ଟି ମ୍ୟାଚରେ ୩୦.୮୮ ହାରରେ ୮୦୩ ରନ କରିଛନ୍ତି। ଏହି ସମୟରେ ସେ କେବଳ ଛଅ ଅର୍ଦ୍ଧଶତକ ମାରିଛନ୍ତି। ୨୦୧୯ ଡିସେମ୍ବରଠୁ ସେ ଗୋଟିଏ ହେଲେ ଶତକ ହାସଲ କରି ପାରିନାହାନ୍ତି।

ସେହି ପରି ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ଵିଲିୟମସନ ୮୭ଟି ଟେଷ୍ଟରେ ୫୨.୮୨ ହାରରେ ୭୨୮୯ ରନ କରିଛନ୍ତି। ସେ ୨୪ ଶତକ ହାସଲ କରିବା ସହ ଏହି ସମୟରେ ୩୩ ଅର୍ଦ୍ଧଶତକ ମାରିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୮୫ ମ୍ୟାଚରୁ ୫୯.୭୮ ହାରରେ ୮୦୧୦ ରନ କରିଛନ୍ତି। ଏଥିରେ ୨୭ ଶତକ ଏବଂ ୩୬ ଅର୍ଦ୍ଧଶତକ ସାମିଲ୍।

ନିଜ ଇନିଂସରେ ରୁଟ୍ ନିଜ ଦେଶର ପୂର୍ବତନ ଅଧିନାୟକ ଆଲିଷ୍ଟକର କୁକଙ୍କ ପରେ ଟେଷ୍ଟ କ୍ରିକେଟରେ ୧୦ ହଜାର ରନ ପୂରଣ କରିବାରେ ଇଂଲଣ୍ଡର ସେ ଦ୍ଵିତୀୟ ବ୍ୟାଟସମ୍ୟାନ। ଦୁଇ ବ୍ୟାଟସମ୍ୟାନ ଠିକ୍ ୩୧ ବର୍ଷ ଏବଂ ୧୫୭ ଦିନ ବୟସରେ କ୍ରିକେଟରେ ୧୦ ହଜାର ରନ ଛୁଇଁଛନ୍ତି। ଏହା ରୁଟଙ୍କ ୨୬ତମ ଶତକ ଏବଂ ସେ ଓ୍ଵେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ସାର ଗାରଫିଲ୍ଡ ସୋବର୍ସଙ୍କ ସମକକ୍ଷ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.