ସରିଲା ଦୁଇ ରାଷ୍ଟ୍ରପତିଙ୍କ ବୈଠକ; ବାଇଡେନ୍ କହିଲେ- ଜିନପିଙ୍ଗ ଜଣେ ଏକଛତ୍ରବାଦୀ ଶାସକ

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ଜଣେ ଏକଛତ୍ରବାଦୀ ଶାସକ। ଏକଥାକୁ ପୁଣିଥରେ ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ବୁଧବାର ଦୁଇ ରାଷ୍ଟ୍ରପତିଙ୍କ ବୈଠକ ହୋଇଥିଲା। ବୈଠକ ସରିବା ପରେ ବାଇଡେନ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ କଣ ଏବେ ବି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକଛତ୍ରପତି ଶାସକ ବୋଲି ବିଚାର କରନ୍ତି?

ଉତ୍ତରରେ ବାଇଡେନ କହିଛନ୍ତି ନିଶ୍ଚୟ ସେ ଜଣେ ଏକଛତ୍ରବାଦୀ। ସେ କହିଛନ୍ତି “ସେ ଏହି ସେନ୍ସରେ ଏକଛତ୍ରବାଦୀ ଯେ ସେ କମ୍ୟୁନିଷ୍ଟ ଚିନ୍ତାଧାରାରେ ଏକ ଦେଶ ଚଳାଉଛନ୍ତି। ଚୀନ ସରକାର ଆମ ସରକାର ଠାରୁ ସମ୍ପୂର୍ଣ୍ଣ ଭିନ୍ନ।”   

ଗୁରୁବାର ଆମେରିକାର କାଲିଫର୍ଣ୍ଣିଆରେ ଏକ ବଡ଼ ସମ୍ମିଳନୀରେ କକ୍ଷରେ ଜୋ ବାଇଡେନ ଓ ଜିନପିଙ୍ଗଙ୍କ ବୈଠକ ହୋଇଥିଲା। ଏଥିରେ ଦୁଇ ଦେଶ ମଧ୍ୟରେ ଥିବା ପାର୍ଥକ୍ୟ ସବୁବେଳେ ସମାଧାନପୂର୍ବକ ରହିବା ସହ ଯେମିତି ସମ୍ପର୍କ ଖରାପ ନ ହୁଏ ଏଥିପାଇଁ ଦୁଇ ରାଷ୍ଟ୍ରପତି ସହମତି ପ୍ରକାଶ କରିଥିଲେ।

ଜଣେ ବରିଷ୍ଠ ଅଫିସରଙ୍କ ସୂଚନା ଅନୁସାରେ, ଦୁଇ ନେତାଙ୍କ ମଧ୍ୟରେ ସ୍ପଷ୍ଟ ଖୋଲାଖୋଲି ଆଲୋଚନା ହୋଇଥିଲା। ବାଇଡେନ ଜିନପିଙ୍ଗଙ୍କ ଆଗରେ ଖୋଲାଖୋଲି ଭାବେ ନିଜର ଆଭିମୁଖ୍ୟ ରଖିଥିଲେ ବୋଲି ପିଟିଆଇରେ ଖବର ପ୍ରକାଶ ପାଇଛି।

ପଢ଼ନ୍ତୁ-ଭାରତୀୟ ଅର୍ଥନୀତି ୨୦୨୪-୨୬ ମଧ୍ୟରେ ୬-୭.୧ ପ୍ରତିଶତ ହାରରେ ବଢିବ: S&P

ଦୁଇ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାଖିକ ସମ୍ପର୍କ ସହ ଆଞ୍ଚଳିକ ଓ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ଇରାନ, ମଧ୍ୟପ୍ରାଚ୍ୟ, ୟୁକ୍ରେନ୍, ତାଇୱାନ, ଭାରତ ପ୍ରଶାସନ୍ତ ମହାସାଗର ସମ୍ପର୍କିତ, ଅର୍ଥନୀତି, ଆର୍ଟିଫିସଆଲ୍ ଇଣ୍ଟେଲିଜେନ୍ସ, ଡ୍ରଗ୍ସ, ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଆଲୋଚନା ହୋଇଥିଲା।

ଆଲୋଚନା ବେଳେ ଚୀନର ଯେଉଁ କମ୍ପାନୀଗୁଡ଼ିକ ଆମେରିକାରେ ବେଆଇନ ଡ୍ରଗ୍ସ ବ୍ୟବସାୟ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚୀନ ରାଜି ହୋଇଛି। ଏଥିସହିତ ଆମେରିକା ପ୍ରତିରକ୍ଷା ସଚିବ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତିରକ୍ଷା ସ୍ତରରେ ଆଲୋଚନା, ପରିଚାଳନାଗତ ସ୍ତରରେ ନିର୍ଦ୍ଦିଷ୍ଟ କମାଣ୍ଡର ସ୍ତରୀୟ ଆଲୋଚନା, ଓ ପରସ୍ପରର କଲ୍ ଉଠାଇ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚୀନ ଓ ଆମେରିକା ସହମତି ପ୍ରକାଶ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.