ପ୍ରଫେସର ଥିଲେ ବାଇଡେନ୍, କ୍ଲାସ ନକରି ନେଇଥିଲେ ୧୦ ଲକ୍ଷ ଡଲାର

Published By : Prameya-News7 Bureau | January 12, 2023 IST

ୱାଶିଂଟନ୍‌ ୧୨/୦୧: ଆମେରିକା ରାଷ୍ଟ୍ରପତି ହେବା ପୂର୍ବରୁ ଜୋ ବାଇଡେନ୍‌ ପେନ୍‌ସିଲଭାନିଆ ୟୁନିଭର୍ସିଟିରେ ପ୍ରଫେସର ଥିଲେ । ଏହି ସମୟରେ ସେ କ୍ଲାସ୍‌ ନ କରି ବି ଦୁଇ ବର୍ଷ ପାଇଁ ବାର୍ଷିକ ୧୦ ଲକ୍ଷ ଡଲାର ନେଇଥିଲେ । ରିପବ୍ଲିକାନ୍‌ ନ୍ୟାଶନାଲ କମିଟି ରିସର୍ଚ୍ଚ ୟୁନିଟି ବାଇଡେନ୍‌ଙ୍କ ଏହି ରହସ୍ୟ ଉପରୁ ପରଦା ଉଠାଇଛି ।

ମେକ୍ସିକୋ ରାଷ୍ଟ୍ରପତି ଲୋପେଜ୍‌ ଓବ୍ରେଡୋର ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ବାଇଡେନ୍‌ କହିଥିଲେ ଯେ ସେ ଉପରାଷ୍ଟ୍ରପତି ଥିବାବେଳେ ୪ ବର୍ଷ ପାଇଁ ପ୍ରଫେସର ରହିଥିଲେ । ଏହା ପରେ ରିପବ୍ଲିକାନ୍‌ ନ୍ୟାଶନାଲ କମିଟି ରିସର୍ଚ୍ଚ ୟୁନିଟି ପକ୍ଷରୁ ଏହି ଅଭିଯୋଗ ଆସିଛି ।

ରିସର୍ଚ୍ଚ ୟୁନିଟି ଅନୁସାରେ, ବାଇଡେନ୍‌ ପ୍ରଫେସର ଥିବା କଥାରେ ଅନେକ ମିଥ୍ୟା ରହିଛି । ସେ ୨୦୧୭-୧୯ରେ ଫିଲାଡେଲଫିଆ ସ୍କୁଲରେ ପ୍ରଫେସର ଥିଲେ । ଫିଲାଡେଲ୍‌ଫିଆ ଇନ୍‌କ୍ୱାୟରର ଏକ ରିପୋର୍ଟ ଅନୁସାରେ, ବାଇଡେନ୍‌ ୨୦୧୭ରେ ୩,୭୧,୧୫୯ ଆମେରିକୀୟ ଡଲାର ଏବଂ ୨୦୧୮ ଓ ୨୦୧୯ରେ ୫,୪୦,୪୮୪ ଡଲାର ପାଉଣା ନେଇଥିଲେ ।

୨୦୧୭ରେ ବାଇଡେନ୍‌ ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ପ୍ରେସିଡେନ୍ସିଆଲ ପ୍ରାକ୍ଟିସ୍‌ ପ୍ରଫେସର ଥିଲେ । ସେ ଅଲ୍‌ମା ମେଟର ଡେଲାୱର ୟୁନିଭର୍ସିଟିରେ ବାଇଡେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ବ୍ୟତୀତ ୱାଶିଂଟନ୍‌ରେ ପେନ୍‌ ବାଇଡେନ୍‌ ସେଣ୍ଟର ଫର୍‌ ଡିପ୍ଲୋମାସି ଆଣ୍ଡ୍‌ ଗ୍ଲୋବାଲ ଏନ୍‌ଗେଜମେଣ୍ଟ ପ୍ରତିଷ୍ଠା କରିଥିଲେ । ସେହି ସମୟରେ ସେ କ୍ୟାମ୍ପ୍‌ସରେ ପିଲାଙ୍କୁ ପାଠପଢ଼ାଇଥିଲେ ହେଁ କୋର୍ସ ସମ୍ପୂର୍ଣ୍ଣ କରି ନ ଥିଲେ ।

୨୦୧୯ ଏପ୍ରିଲରେ ବାଇଡେନ୍‌ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ । ସେତେବେଳେ ବାଇଡେନ୍‌ ପେନ୍‌ ବାଇଡେନ୍‌ ସେଣ୍ଟରରୁ ବିନା ବେତନ ବା ଅନ୍‌ପେଡ୍‌ ଛୁଟି ନେବେ ବୋଲି ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିଲା । ତେବେ ଟାକ୍ସ ପେପର ଅନୁସାରେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ୟୁନିଭର୍ସିଟିରେ ପଦ ସମ୍ଭାଳିବା ପାଇଁ ୯ ଲକ୍ଷ ଡଲାର ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.