ବାଇଡେନଙ୍କ ଅଲ-ଓମେନ୍ ପ୍ରେସ୍ ଟିମ୍, ହ୍ବାଇଟ ହାଉସ ଇତିହାସରେ ପ୍ରଥମ

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦/୧୧ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ନୂଆ କ୍ୟାବିନେଟ ଗଠନ କରିଛନ୍ତି । ତେବେ ଦଳରେ ଅଧିକ ବିବିଧତା ଆଣିବା ପାଇଁ ସେ ଆଉ ଏକ ନିଆରା ପଦକ୍ଷେପ ନେବାପାଇଁ ଘୋଷଣା କରିଥିଲେ । ଏବେ ସେ ତାଙ୍କ ପ୍ରତିଶ୍ରୁତି ପାଳନ କରିବା ପୂର୍ବକ ହ୍ବାଇଟ୍ ହାଉସରେ ବରିଷ୍ଠ ମହିଳା ପ୍ରେସ ଟିମ ଘୋଷଣା କରିଛନ୍ତି ।  ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଏକ ସର୍ବ-ମହିଳା ପ୍ରେସ ଟିମ୍ ଚୟନ କରିଛନ୍ତି । ନିକଟରେ ଅନୁଷ୍ଠିତ ଆମେରିକା ନିର୍ବାଚନରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ବାଇଡେନଙ୍କ ଐତିହାସିକ ବିଜୟ ପରେ ଏକ ଅଂଶ ଭାବେ ଏହି ନିଷ୍ପତ୍ତି ନିଆଯାଇଛି ।

ଜୋ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ, ‘ ଆଜି ପ୍ରଥମଥର ପାଇଁ ହ୍ବାଇଟ୍ ହାଉସରେ ସର୍ବ-ମହିଳା ସିନିୟର ଟିମକୁ ଘୋଷଣା କରି ମୁଁ ଗର୍ବିତ’ । ଏହି ଯୋଗ୍ୟ ଏବଂ ଅଭିଜ୍ଞ ପ୍ରେସ ଟିମ୍ ସେମାନଙ୍କ କାର୍ଯ୍ୟରେ ବିଭିନ୍ନ ଦୃଷ୍ଟିକୋଣ ଏବଂ ପାରଦର୍ଶୀତା ବଳରେ ଦେଶ ପୁଣି ଥରେ ଊନ୍ନତିପଥରେ ଚାଲିବ ।  

ହ୍ବାଇଟ୍ ହାଉସରେ ଗଣମାଧ୍ୟମ ସଚିବ ଭାବେ ଜେନ୍ ସାକିଙ୍କୁ ନିଯୁକ୍ତି ଦେଇଛନ୍ତି ବାଇଡେନ । ଜେନ ପୂର୍ବରୁ ମଧ୍ୟ ହ୍ବାଇଟ୍ ହାଉସରେ ତାଙ୍କର ପାରଦର୍ଶୀତା ଦେଖାଇଛନ୍ତି । ଓବାମା ଏବଂ ବାଇଡେନଙ୍କ ସମୟରେ ସେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ଜେନ୍ ସାକିଙ୍କୁ ସାହାଯ୍ୟ କରିବା ପାଇଁ କେଟ୍ ବେଡିଙ୍ଗଫିଲ୍ଡଙ୍କୁ ହ୍ବାଇଟ୍ ହାଉସର ପ୍ରେସ ନିର୍ଦ୍ଦେଶକ ଭାବରେ ମଧ୍ୟ ନିଯୁକ୍ତ ଦିଆଯାଇଛି । ବେଡିଙ୍ଗଫିଲ୍ଡ ପୂର୍ବରୁ ବାଇଡେନଙ୍କ ଡେପୁଟି କ୍ୟାମ୍ପେନ୍ ମ୍ୟାନେଜର ଏବଂ ତାଙ୍କ ପ୍ରେସ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ଦୁଇ ବରିଷ୍ଠ ସଦସ୍ୟଙ୍କ ବ୍ୟତୀତ ଆସଲେ ଏଟିଏନ୍ ଉପ ରାଷ୍ଟ୍ରପତି କମଲା ହାରିସଙ୍କ ପାଇଁ ପ୍ରେସ ନିର୍ଦ୍ଦେଶକ ଏବଂ ସାଇମୋନ୍ ସାଣ୍ଡର୍ସ କମଲା ହାରିସଙ୍କ ବରିଷ୍ଠ ପରାମର୍ଶଦାତା ତଥା ମୁଖ୍ୟ ମୁଖପାତ୍ର ଭାବରେ କାର୍ଯ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.