ପ୍ରୟାଗରାଜ ହିଂସାରେ ଜେଏନୟୁ କନେକ୍ସନ; ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପର ଝିଅକୁ ନେଇ ତଦନ୍ତ କରୁଛି ପୋଲିସ

Published By : Prameya-News7 Bureau | June 12, 2022 IST

ନୂଆଦିଲ୍ଲୀ ୧୨/୦୬ : ପୈଗମ୍ୱର ବିବାଦରେ ନୂପୁର ଶର୍ମାଙ୍କ ବୟାନ୍‌ ପରେ ପ୍ରୟାଗରାଜରେ ଶୁକ୍ରବାର ନମାଜ ପାଠ ପରେ ଜୋର୍‌ସୋର୍‌ ହିଂସାକାଣ୍ଡ ହୋଇଥିଲା। ଏହି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜାଭେଜ ପମ୍ପ୍‌ର ଘର ଆଜି ଯୋଗୀ ସରକାରଙ୍କ ନିର୍ଦ୍ଦେଶରେ ବୁଲ୍‌ ଡୁଜର ସାହାଜ୍ୟରେ ଭଙ୍ଗାଯାଇଛି। ଏହି ମାମଲାର ଚେର ଜେଏନୟୁ ପର୍ଯ୍ୟନ୍ତ ଲମ୍ୱିଛି ବୋଲି କୁହାଯାଇଛି। ପ୍ରକୃତରେ ଜାଭେଦ୍‌ ପମ୍ପ୍‌ର ଝିଅ ଜେଏନୟୁରେ ପଢ଼ୁଛି। ଏହି କଥା ସାମ୍ନାକୁ ଆସିବା ପରେ ପୋଲିସ ଏହାକୁ ସିଏଏ (ସିଟିଜେନ୍‌ ଆମେଣ୍ଡମେଣ୍ଟ ଆକ୍ଟ) ବିରୋଧ ମାମଲା ସହିତ ଯୋଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ସିଏଏ ବିରୋଧରେ ହୋଇଥିବା ପ୍ରଦର୍ଶନ ସମୟରେ ଜେଏନୟୁର ଭୂମିକା ସାମ୍ନାକୁ ଆସିଥିଲା।

ଜେଏନୟୁରେ ଜାଭେଦ୍‌ର ଝିଅ ପଢ଼ୁଛି ବୋଲି ସୂଚନା ମିଳିବା ପରେ ପୋଲିସ ଅଧିକ ସତର୍କ ହୋଇଛି। ଏକ ଜାତୀୟ ଗଣମାଧ୍ୟମ ଅନୁସାରେ ଜାଭେଦ୍‌ର ଝିଅ ତାକୁ ପରାମର୍ଶ ଦେଉଥିଲା। ଶୁକ୍ରବାର ହୋଇଥିବା ହିଂସାକାଣ୍ଡରେ ଜାଭେଦ ଝିଅର କି ଭୂମିକା ରହିଛି ତାହା ଜାଣିବା ପାଇଁ ପୋଲିସ ଏହି ମାମଲାକୁ ବହୁ ଗମ୍ଭୀରତାର ସହିତ ତଦନ୍ତ କରୁଛି। ଜାଭେଦ୍‌ ପମ୍ପ୍‌ ଲୋକମାନଙ୍କୁ ହିଂସା କାଣ୍ଡ କରିବା ପାଇଁ ଉସୁକାଉଥିଲା ବୋଲି ତାଉପରେ ଅଭିଯୋଗ ରହିଛି। ଜାଭେଦ୍‌ର ମୋବାଇଲ୍‌ ଫୋନରୁ ଏନେଇ ପୋଲିସକୁ ବଳିଷ୍ଠ ପ୍ରମାଣ ମିଳିଛି।

ଜାଭେଦ୍‌ର ଏହି ହିଂସାକାଣ୍ଡ ସହିତ ସନ୍ଦିଗ୍ଧ ଭୂମିକା ମିଳିବା ପରେ ତା ଘରକୁ ବୁଲ୍‌ ଡୁଜରରେ ଭଙ୍ଗା ଯାଇଛି। ଏହା ପୂର୍ବରୁ ସକାଳ ୧୧ଟା ସୁଦ୍ଧା ଘର ଖାଲି କରିବା ପାଇଁ ପିଡିଏ ପକ୍ଷରୁ ଚେତାବନୀ ଦିଆ ଯାଇଥିଲା। କିନ୍ତୁ ଚେତାବନୀ ପରେ ଘରଖାଲି ନହେବାରୁ ପୋଲିସ୍‌ କର୍ମୀମାନେ ତାଙ୍କ ଘରେ ଥିବା ଜିନିଷକୁ ବାହାରେ ଫିଙ୍ଗି ଦେଇଥିଲେ। ସୂଚନାଥାଉକି, ଶୁକ୍ରବାର ନମାଜ ପାଠ ପରେ ପ୍ରୟାଗରଜରେ ହିଂସା କାଣ୍ଡ ଭୟଙ୍କର ରୂପ ନେଇଥିଲା। ଏହି ସମୟରେ ଉପଦ୍ରବୀମାନେ ପୋଲିସଙ୍କ ଉପରକୁ ଟେକାପଥର ମାଡ଼ କରିଥିଲେ। ଏଥିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ସେହିପରି ଏଡିଜିଙ୍କ ଗାଡ଼ି ମଧ୍ୟ ଏହି ପଥର ମାଡ଼ରେ କ୍ଷତିଗ୍ରସ୍ଥ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.