ରାଗ ବ୍ରହ୍ମ ଚଣ୍ଡାଳ: ହଠାତ ଶ୍ୱଶୁର ଘରେ ପଶି, ଶାଶୁ-ଶ୍ୱଶୁର ଓ ପତ୍ନୀଙ୍କ ଉପରକୁ ଆଖିବୁଜା ଗୁଳି କଲେ ଆଇଆରପି ଯବାନ, ୩ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | March 10, 2021 IST

କାଶ୍ମୀର ୧୦/୦୩ : ଜାମ୍ମୁ ସତବାରିରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସତବାରି ଅଞ୍ଚଳରେ ଜଣେ ପୋଲିସକର୍ମୀ ନିଜ ଶ୍ୱଶୁରଘର ପଶି ନିଜ ପତ୍ନୀ, ଶାଶୁ-ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପୋଲିସକର୍ମୀ ପାଖାପାଖି ୧୨ ରାଉଣ୍ଡ ଗୁଳି କରିଥିବା କୁହାଯାଉଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁ ଦିନ ହେଲା ବିବାଦ ଚାଲିଥିଲା। ଅଭିଯୁକ୍ତ ପୋଲିସକର୍ମୀଙ୍କୁ ଗିରଫ କରାଯାଇଛି। ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଡ୍ୟୁଟି ସାରିବା ପରେ ତାଙ୍କୁ ଅସ୍ତ୍ର ଘରକୁ ନେଇ ଯିବାକୁ ଅନୁମତି କେମିତି ମିଳିଲା।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ପୋଲିସକର୍ମୀ ରାଜେନ୍ଦ୍ର କୁମାର ଓରଫ ମଜନୁସ ନିଜ ଶ୍ୱଶୁର ଘରକୁ ଯାଇଥିଲେ। ଘରେ ପଶି ସେ ନିଜ ସର୍ଭିସ ରାଇଫଲରେ ଘରେ ଉପସ୍ଥିତ ସଦସ୍ୟଙ୍କ ଉପରକୁ ଗୁଳି କରିଥିଲେ। ପାଖାପାଖି ୧୨ ରାଉଣ୍ଡ ଫାୟାର କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ଶାଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ପତ୍ନୀ ସୀମା ଦେବୀ ଓ ଶ୍ୱଶୁର ଗୁରୁତର ଆହତ ହୋଇଛନ୍ତି।

ନିଜର ଦୁଇ ଶଳା ଓ ଦାଦା ଶ୍ୱଶୁରଙ୍କ ଉପରକୁ ମଧ୍ୟ ସେ ଗୁଳି କରିଥିଲେ। କିନ୍ତୁ ସେମାନେ ଲୁଚି ଯାଇଥିଲେ। ଝରକା ପଟେ ତାଙ୍କ ଉପରକୁ ଗୁଳି କରିଥିଲେ। ଫାୟାର କରିବାପରେ ନିଜ କାରରେ ସେଠାରେ ପଳାଇ ଯାଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ଶାଶୁଙ୍କର ମୃତ୍ୟୁ ହୋଇସାରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇଛି। 

ଘଟଣା ପରେ ପୋଲିସ ଟିମ ଅନେକ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତ ରାଜେନ୍ଦ୍ର କୁମାରକୁ ଗିରଫ କରିଛି। ଯାଞ୍ଚ ବେଳେ ଜଣାପଡିଛି ଯେ ସେ ଆଇଆରପି ଯବାନ। ସେ ବର୍ତ୍ତମାନ ସିକ୍ୟୁରିଟି ୱିଙ୍ଗରେ ନିୟୋଜିତ ଥିଲେ। ଯାଞ୍ଚରୁ ଜଣାପଡିଛି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁ ସମୟ ଧରି ବିବାଦ ଚାଲିଥିଲା। ଯେଉଁଥିପାଇଁ ମହିଳା ନିଜ ବାପଘରକୁ ଚାଲି ଆସିଥିଲେ। ଅନେକଥର ମାରପିଟ କରି ପତ୍ନୀଙ୍କୁ ଘରୁ ବି ବାହାର କରିଦେଇଥିଲେ।

ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ ଫାଇରିଙ୍ଗ ସମୟରେ ଦୁଇ ଶିଶୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଘରକୁ ପଶିବା ପୂର୍ବରୁ ପୋଲିସ କର୍ମୀ ନିଜ ଦାଦା ଶ୍ୱଶୁରଙ୍କୁ ପଚାରିଥିଲେ ଯେ ଘରେ ସମସ୍ତେ ଅଛନ୍ତି ନା ନାହିଁ। ଦାଦା ଶ୍ୱଶୁରଙ୍କୁ ମିଠା ଦେଇ କହିଥିଲେ ତାଙ୍କର ପ୍ରମୋସନ ହୋଇଛି। ଏହି ବାହାନାରେ ସେ ରାଇଫଲ ନେଇ ଘରକୁ ପଶିଥିଲେ ଓ ସମସ୍ତଙ୍କ ଉପରକୁ ଗୁଳି କରିଥିଲେ। ରାଜେନ୍ଦ୍ର କୁମାରଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.