ଶ୍ରୀନଗର ୨୬/୦୯: ଜମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ୬ ଜିଲ୍ଲାର ୨୬ ଆସନରେ ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ମୋଟ୍ ୨୫.୭୮ ଲକ୍ଷ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଦ୍ବିତୀୟ ଚରଣରେ ଜମ୍ମୁ-କାଶ୍ମୀରରେ ୫୬% ମତଦାନ ହୋଇଛି ।
ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ, ରିୟାସିରେ ସର୍ବାଧିକ ୭୧.୮୧% ମତଦାନ ହୋଇଥିବା ବେଳେ ଶ୍ରୀନଗରରେ ସର୍ବନିମ୍ନ ୨୭.୩୧% ଭୋଟ୍ ପଡ଼ିଛି । ସେହିଭଳି ବଡ଼ଗାମ୍ରେ ୫୮.୯୭% ମତଦାନ ହୋଇଛି । ଗାନ୍ଦରବଲରେ ୫୮.୮୧%, ପୁଞ୍ଛରେ ୭୧.୫୯%, ରାଜୌରିରେ ୬୭.୭୭% ଭୋଟିଂ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟର ୨୬ ଆସନ ମଧ୍ୟରୁ ୧୫ଟି ଆସନ କେନ୍ଦ୍ରୀୟ କାଶ୍ମୀର ଏବଂ ୧୧ଟି ଜମ୍ମୁରୁ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ଲଢ଼ୁଥିବା ୨୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ପୁରୁଷ ଏବଂ ୬ଜଣ ମହିଳା । ୧୩୧ ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ ୪୯ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍ସି ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲା ଗାନ୍ଦରବଲ୍ ଓ ବୀରୱାହରୁ ନିର୍ବାଚନ ଲଢ଼ିଛନ୍ତି ।
ସେପ୍ଟେମ୍ବର ୧୮ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୧.୩୮% ମତଦାନ ହୋଇଥିଲା । ଜମ୍ମୁ-କାଶ୍ମୀର ନିର୍ବାଚନ ଦେଖିବା ପାଇଁ ଆମେରିକା, ନରୱେ, ମେକ୍ସିକୋ, ଗୁୟାନା, ଦକ୍ଷିଣ କୋରିଆ, ସୋମାଲିଆ, ପାନାମା, ସ୍ପେନ, ନାଇଜେରିଆ ଓ ସିଙ୍ଗାପୁର ଭଳି ୧୬ ଦେଶରୁ କୂଟନୀତିଜ୍ଞ ଆସିଛନ୍ତି ।