ରାଜଧାନୀରେ +୨ଫେଲ୍‌ ନକଲି ଡାକ୍ତର ଅସଲି ଡାକ୍ତରାଣୀଙ୍କୁ ବାହା ହୋଇ ଦେଲେ ଯୌତୁକ ନିର୍ଯ୍ୟାତନା

Published By : Prameya-News7 Bureau | January 16, 2020 IST

ଭୁବନେଶ୍ୱର ୧୬।୦୧ - ରାଜଧାନୀ ଭୁବନେଶ୍ୱରରେ କିଛି ଦିନ ତଳେ ଜଣେ ଯୁବକ ନିଜକୁ ଏମସ୍‌ର ଡାକ୍ତର ବୋଲି ପରିଚୟ ଦେଇ ଏକ ଦାମୀ କାରକୁ ଲୋନ୍‌ରେ ନେଇଥିଲେ। ପରେ ମାସିକ କିସ୍ତି ଦେଇ ନ ପାରିବାରୁ ସେ ଧରାପଡିଥିଲେ । ନକଲି ପରିଚୟ ପତ୍ର ଦେଇ ସେ ଲୋନ୍‌ ବା ଗାଡି ଫାଇନାନ୍ସ୍‌ କରିଥିବା ଜଣା ପଡିଥିଲା ।

ହେଲେ ଏବେ ଆଉ ଜଣେ ନକଲି ଡାକ୍ତରଙ୍କ କାରନାମାର ପର୍ଦ୍ଦାଫାଶ ହୋଇଛି । ଏହି ଯୁବକ ଜଣଙ୍କ +୨ ଫେଲ୍‌ ହୋଇଥିବାବେଳେ ନିଜକୁ ବିଦେଶରେ ଚାକିରି କରୁଥିବା ଡାକ୍ତର ବୋଲି ପରିଚୟ ଦେଇ ଜଣେ ଡାକ୍ତରାଣୀଙ୍କୁ ବିବାହ କରିଛନ୍ତି । କେବଳ ସେତିକି ନୁହେଁ ସେ ୨୫ ଲକ୍ଷ ଟଙ୍କା ଯୌତୁକ ବି ନେଇଛନ୍ତି ।

ପରେ ଯୌତୁକ ନେଇ ଡାକ୍ତରାଣୀଙ୍କୁ ମାରପିଟ୍‌ କରିବାରୁ ସବୁଘଟଣାର ପର୍ଦ୍ଦାଫାସ ହୋଇଛି । ଡାକ୍ତରାଣୀ ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିବା ରେ ଏହି ନକଲି ଡାକ୍ତରଙ୍କୁ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି। ନକଲି ଏମ୍‌ବିବିଏସ୍‌ ଡାକ୍ତରଙ୍କ ବାପା ବି ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ଥିଲେ । ସେ ଭୁବନେଶ୍ୱର ଡେଲଟା କଲୋନୀରେ ରହୁଛନ୍ତି । ଏବେ ତାଙ୍କ ବାପା ଫେରାର୍‌ ଅଛନ୍ତି ।

ନ୍ୟାସନାଲ ମେଡିକାଲ୍‌ କଲେଜ୍‌ରୁ ଏମ୍‌ବିବିଏସ୍‌, ଦିଲ୍ଲୀ ଏମସ୍‌ରୁ ଏମ୍‌ଡି ହୋଇ ପରେ କାନାଡାରୁ ସ୍ପେଶିଆଲାଇଜେସନ୍‌ କୋର୍ସ କରିଥିବା ସେ ବିବାହ ପୂର୍ବରୁ କହିଥିଲେ । ଡାକ୍ତରଣୀଙ୍କ ଘର ଲୋକବି ବିଶ୍ୱାସ କରିଯାଇଥିଲେ। ଠିକ୍‌ ଭାବରେ ଯାଞ୍ଚ ନକରି ବିବାହ ହୋଇଥିଲା ।ହେଲେପରେ ସବୁ ଗୁମର ଫିଟିଯାଇଥିଲା । ଏବେ ପୁଲିସ ଘଟଣାର ଯାଞ୍ଚ କରି ଏଥିରେ ଆଉ କାହାର ହାତ ଅଛି ସେ ବିଷୟରେ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.