ଦେଶରେ ବଡ଼ ଅଫିସରଙ୍କ ଅଭାବ; ୧,୪୭୨ ଆଇଏଏସ, ୮୬୪ ଆଇପିଏସ୍ ଓ ୧,୦୫୭ ଆଇଏଫଏସ୍ ପଦବୀ ଖାଲି
16/12/2022 at 6:46 PM

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବାରେ ଖାଲି ପଡ଼ିଥିବା ପଦବୀକୁ ନେଇ ଗୃହରେ ଜବାବ ରଖିଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ୧,୪୭୨ ଆଇଏଏସ ଅଫିସର, ୮୬୪ଟି ଭାରତୀୟ ପୋଲିସ ସେବା ଅଧିକାରୀ ପଦବୀ ଓ ୧,୦୫୭ଟି ଭାରତୀୟ ବନଖଣ୍ଡ ଅଧିକାରୀ ପଦବୀ ଖାଲି ପଡିଛି ବୋଲି ଲୋକସଭାରେ ବିପକ୍ଷଙ୍କ ପ୍ରଶ୍ନର ଲିଖିତ ଭାବେ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଗୃହରେ ଜିତେନ୍ଦ୍ର ସିଂ କହିଛନ୍ତି, ଭାରତୀୟ ପ୍ରଶାସନିକ ସେବା ଆୟୋଗରେ ମୋଟ୍ ୬,୭୮୯ ଆଇଏଏସ, ୪,୯୮୪ ଆଇପିଏସ୍ ଏବଂ ୩,୧୯୧ ଆଇଏଫଏସ ପଦବୀ ରହିଛି । ଏଥିମଧ୍ୟରୁ ୫,୩୧୭ ଆଇଏଏସ ଅଧିକାରୀ, ୪,୧୨୦ ଆଇପିଏସ୍ ଅଧିକାରୀ ଓ ୨,୧୩୪ ଆଇଏଫଏସ୍ ଅଧିକାରୀଙ୍କୁ ନିୟୁକ୍ତି ଦିଆଯାଇଛି । ଭାରତୀୟ ପ୍ରଶାସନିକ ସେବା ଆୟୋଗରେ ଅଧିକାରୀଙ୍କୁ କ୍ରମାଗତ ଭାବେ ନିଯୁକ୍ତି ଦିଆଯାଉଛି । ତେବେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ପ୍ରଶାସନିକ ଅଧିକାରୀଙ୍କୁ ଅବସ୍ଥାପିତ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଜାରି ରଖିଛନ୍ତି ।

ଭାରତୀୟ ପ୍ରଶାସନିକ ସେବା ଆୟୋଗ ପ୍ରତିବର୍ଷ ଆଇଏଏସ, ଆଇପିଏସ ଓ ଆଇଏଫଏସ ପଦବୀରେ ସିଧା ଭର୍ତ୍ତି ପାଇଁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆୟୋଜନ କରୁଛି । ୨୦୨୧ ସିଭିଲ୍ ସର୍ଭିସ୍ ପରୀକ୍ଷା ମାଧ୍ୟମରେ ଆଇଏଏସ୍ ପଦବୀ ସଂଖ୍ୟା ୧୮୦କୁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ୨୦୨୦ରେ ଆଇପିଏସ ପଦବୀ ସଂଖ୍ୟା ୨୦୦ କରାଯାଇଥିଲା । ସେହିପରି ୨୦୨୨ରେ ଆଇଏଫଏସ ପଦବୀକୁ ୧୫୦କୁ ବୃଦ୍ଧି କରାଯାଇଛି ବୋଲି ଉତ୍ତର ଜିତେନ୍ଦ୍ର ସିଂ ଦେଇଛନ୍ତି ।
ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ୨୦୨୧ ସିଭିଲ୍ ସର୍ଭିସ୍ ସେବା ପରୀକ୍ଷାରେ ମଧ୍ୟମରେ ଚୟନ ହୋଇଥିବା ୭୪୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୧ଜଣ ପରୀକ୍ଷାର୍ଥୀଙ୍କୁ ଏଯାଏଁ ନିଯୁକ୍ତି ଦିଆଯାଇନାହିଁ । ସିଏସଇ ନିୟମ ୨୦୨୧ ଅନୁଯାୟୀ, ଚୟନ ପ୍ରାର୍ଥୀଙ୍କୁ ଫେରାଇ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।