ପାଟନା ୨୧।୦୯: ରାମଚରିତ ମାନସକୁ ସିଲାବସରେ ସାମିଲ୍ କରିବା ଦାବିକୁ ନେଇ ବିହାରରେ ରାଜନୀତି ଜୋର ଧରିଛି। ଏନଡିଏର ଅନେକ ନେତା ରାମଚରିତ ମାନସକୁ ସିଲାବସରେ ସାମିଲ୍ କରିବାକୁ ଦାବି କରିଛନ୍ତି। ଏହା ମଧ୍ୟରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚାର ସଭାପତି ଜିତନରାମ ମାଞ୍ଝୀ ବଡ ବୟାନ ଦେଇଛନ୍ତି। ସେ ଭଗବାନ ରାମଙ୍କ ଅସ୍ତିତ୍ଵକୁ କାଳ୍ପନିକ କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, ସେ ଶ୍ରୀରାମ କୌଣସି ଜୀବିତ ଏବଂ ମହାପୁରୁଷ ଥିବା ମାନନ୍ତି ନାହିଁ। କିନ୍ତୁ ରାମାୟଣରେ ଯେଉଁ କାହାଣୀ ବର୍ଣ୍ଣିତ ତାହା ଶିଖିବାଯୋଗ୍ୟ ରହିଛି। ରାମାୟଣ କଥାରେ ଅନେକ ଏମିତି ଶ୍ଳୋକ ଏବଂ ସନ୍ଦେଶ ରହିଛି, ଯାହା ଲୋକଙ୍କ ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ। ସେ ମହିଳାଙ୍କ ସମ୍ମାନ କଥା ହେଉ କି ବଡଙ୍କ ପାଇଁ ଆଦରର କଥା ହେଉ ରାମାୟଣରୁ ଏସବୁ ଶିକ୍ଷା ମିଳିଥାଏ। ତେଣୁ ରାମାୟଣକୁ ସିଲାବସରେ ସାମିଲ୍ କରାଯିବା ଉଚିତ୍ ବୋଲି ମାଞ୍ଝୀ କହିଛନ୍ତି।
ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶରେ ରାମାୟଣକୁକ ସିଲାବସ୍ରେ ସାମିଲ୍ କରାଯିବା ନିଷ୍ପତ୍ତି ପରେ ବିହାରରେ ମଧ୍ୟ ସିଲାବସ୍ରେ ସାମିଲ୍ କରାଯିବା ଦାବି ଉଠିଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି, ରାମାୟଣ ଆମକୁ ଶତାଧିକ ବର୍ଷ ଧରି ସଠିକ୍ ମାର୍ଗ ଦେଖାଇ ଆସିଛି। ଆମକୁ ଯଦି ଇତିହାସ ପଢିବାର ଅଛି ତ ରାମାୟଣ ପଢିବା ଉଚିତ୍। ଇତିହାସ ସହିତ ସେହି ବିଷୟ ପଢିବା ଉଚିତ୍, ଯେଉଁଥିରେ ଲୋକଙ୍କୁ ଭଲ ସନ୍ଦେଶ ମିଳିଥାଏ।
ବିହାର ସରକାରର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ନୀରଜ କୁମାର ବବଲୁ କହିଛନ୍ତି, ବିହାରର ସ୍କୁଲ ଓ କଲେଜ୍ଗୁଡିକରେ ଭଗବାନ ଶ୍ରୀରାମଙ୍କ ସଂପର୍କିତ ସମସ୍ତ ସୂଚନା ସିଲାବସ୍ରେ ସାମିଲ୍ କରାଯିବା ଉଚିତ୍। ଯଦ୍ଵାରା ଅଧିକରୁ ଅଧିକ ଲୋକ ଭଗବାନ ଶ୍ରୀରାମଙ୍କ ବିଷୟରେ ଜାଣି ପାରିବେ।