ନୂଆଦିଲ୍ଲୀ: ଜିଓ ସେବା ବାଧାପ୍ରାପ୍ତ। ଦେଶର ବିଭିନ୍ନ ରାଜ୍ୟରେ ଜିଓ ସେବା ବାଧାପ୍ରାପ୍ତ ହୋଇଛି। ଆଜି ସକାଳୁ ଗ୍ରାହକମାନେ କଲ୍ କି ମେସେଜ୍ କରିପାରୁ ନାହାନ୍ତି। ଏନେଇ ସୋସିଆଲ୍ ମିଡିଆରେ କମ୍ପାନୀକୁ ଅଭିଯୋଗ କରାଯାଉଛି। କଲ୍ କି ମେସେଜ୍ ହେଉନଥିବା ବେଳେ ଇଣ୍ଟରନେଟ୍ ସେବା କିନ୍ତୁ ପୂର୍ବ ଭଳି ଜାରି ରହିଛି କୁହାଯାଉଛି।
ଜିଓ ସେବାରେ ହୋଇଥିବା ଏଭଳି ସମସ୍ୟା ବିଷୟରେ ସୂଚନା ଦେଇ ଜଣେ ଟ୍ୱିଟର ୟୁଜର ଅଭିଯୋଗ କରି ଲେଖିଛନ୍ତି ଯେ ସକାଳୁ କଲ୍ କି ଏସ୍ଏମ୍ଏସ୍ କରିହେଉନି। ଯଦି ସାଧାରଣ କଲ୍ ଯେ ଯାଇପାରୁ ନାହିଁ ତେବେ ଆମେ କେମିତି 5G କଥା ଯୋଜନା କରୁଛୁ ବୋଲି ସେ ସୋସିଆଲ୍ ମିଡିଆରେ ପ୍ରଶ୍ନ କରିଛନ୍ତି। ତେବେ କିଛି ୟୁଜରଙ୍କୁ ଇଣ୍ଟରନେ୍ଟ୍ ସମସ୍ୟା ହେଉଛି ବୋଲି ସେମାନେ ମଧ୍ୟ ସୋସିଆଲ୍ ମିଡିଆରେ ଅଭିଯୋଗ କରିଛନ୍ତି।
ଟେଲିକମ୍ କମ୍ପାନୀଗୁଡ଼ିକର ସମସ୍ୟାକୁ ଟ୍ରାକ୍ କରୁଥିବା ୱେବ୍ସାଇଟ୍ downdetectorର ସୂଚନା ଅନୁସାରେ, ଆଜି ସକାଳ ୬ର ୯ଟା ପର୍ଯ୍ୟନ୍ତ ଭାରତର ଅନେକ ୟୁଜରଙ୍କ ପାଇଁ ଜିଓ ସେବା ବାଧାପ୍ରାପ୍ତ ହୋଇଥିଲା। ପାଖାପାଖି ୩୭ ପ୍ରତିଶତ ୟୁଜର ସିଗ୍ନାଲ୍ ପାଉନଥିବା ଅଭିଯୋଗ କରିଥିଲେ। ମେସେଜ୍ କରିପାରୁ ନାହାନ୍ତି ବୋଲି ମଧ୍ୟ କହିଥିଲେ। ସେହିପରି ଇଣ୍ଟରନେଟ୍ରେ ସମସ୍ୟା ନେଇ ୨୬ ପ୍ରତିଶତ ୟୁଜର ଅଭିଯୋଗ କରିଥିଲେ ବୋଲି ୱେବ୍ସାଇଟ୍ କହିଛି। ଦିଲ୍ଲୀ, ଅହମଦାବାଦ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ ଓ କୋଲକାତା ଭଳି କିଛି ସହରରେ ଏହି ସେବା ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହୋଇଛି।