ଭୁବନେଶ୍ୱର/ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଅଗ୍ରଣୀ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସର ନେଟ ଲାଭ ଗତ ବର୍ଷ ସମାନ ଅବଧି ତୁଳନାରେ ପ୍ରାୟ ୧୧.୭ ପ୍ରତିଶତ ବୃଦ୍ଧି ସହିତ ୫୬୯୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।
ଅପ୍ରେଲରୁ ଜୁନ ୨୦୨୪ ଯାଏଁ ରହିଥିବା ପ୍ରଥମ ତ୍ରୈମାସିକରେ ଜିଓ ୮୦ ଲକ୍ଷ ଉପଭୋକ୍ତା ଯୋଡ଼ିବା ସହିତ ଜୁନ ଶେଷ ସୁଦ୍ଧା ଦେଶରେ ଜିଓ ନେଟୱାର୍କରେ ମୋଟ ଗ୍ରାହକ ସଂଖ୍ୟା ୪୮.୯୭ କୋଟି ରହିଥିବା ଜଣାପଡିଛି । ଜିଓ ଏୟାରଫାଇବର ଏହି ତ୍ରୈମାସିକରେ ସର୍ବାଧିକ ୧୧ ଲକ୍ଷ ଉପଭୋକ୍ତା ଯୋଡ଼ିଛି । ଜିଓର ଗ୍ରାହକ ପିଛା ପ୍ରତିମାସ ରାଜସ୍ବ ୧୮୧.୭ ଟଙ୍କା ରହିଛି । ଦେଶରେ ୧୩ କୋଟି ୫ଜି ଉପଭୋକ୍ତା ଜିଓର ମୋଟ ଓୟାରଲେସ ଡାଟା ଟ୍ରାଫିକର ୩୧ ପ୍ରତିଶତ ବ୍ୟବହାର କରିଥିବା ବେଳେ ଚୀନ ପରେ ବିଶ୍ୱର ସର୍ବବୃହତ ୫ଜି ଅପରେଟର ହୋଇଛି ଜିଓ ।
ଏହି ତ୍ରୈମାସିକରେ ଜିଓର ମୋଟ ଡାଟା ଟ୍ରାଫିକ ୩୨.୮ ପ୍ରତିଶତ ବୃଦ୍ଧି ସହ ୪୪.୧ ବିଲିୟନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ଗତବର୍ଷ ସମାନ ସମୟ ତୁଳନାରେ ୬ ପ୍ରତିଶତ ବୃଦ୍ଧି ପାଇ ୧.୪୨ ଟ୍ରିଲିଅନ ମିନିଟ ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।
ସେହିଭଳି ରିଲାଏନ୍ସ ରିଟେଲର ପ୍ରଥମ ତ୍ରୈମାସିକର ଆର୍ଥିକ ଫଳାଫଳ ଅନୁସାରେ ରିଲାଏନ୍ସ ରିଟେଲର ମୋଟ ଆୟ ଗତବର୍ଷ ସମାନ ସମୟ ତୁଳନାରେ ୮.୧ ପ୍ରତିଶତ ବୃଦ୍ଧି ସହିତ ୭୫୬୧୫ କୋଟି ଟଙ୍କା ହୋଇଛି। ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ ୩୩୧ ନୂଆ ଷ୍ଟୋର ଖୋଲିବା ସହିତ ଏହାର ମୋଟ ଷ୍ଟୋର ସଂଖ୍ୟା ଜୁନ ଶେଷ ସୁଦ୍ଧା ୧୮୯୧୮ ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ମୋଟ ରାଜସ୍ବ ଗତବର୍ଷ ସମାନ ସମୟ ତୁଳନାରେ ୧୧.୫ ପ୍ରତିଶତ ବୃଦ୍ଧି ସହିତ ୨୫୭୮୨୩ କୋଟି ଟଙ୍କା ହୋଇଛି । ଏହି ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ମୋଟ ନେଟ ଲାଭ ୧୭୪୪୮ କୋଟି ଟଙ୍କା ରହିଛି।